ଆଇପିଏଲ-୨୦୨୧ : କୋଲକାତାକୁ ୧୫୬ ରନର ଟାର୍ଗେଟ ଦେଲା ମୁମ୍ବାଇ
ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୩୪ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୫ ରନ କରିଛି । କ୍ବିଣ୍ଟନ୍ ଡି’ କକ୍ଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଉପଯୋଗୀ ଇନିଂସ ବଳରେ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି । ଫଳରେ କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି ।
ଓପନର ରୋହିତ ଶର୍ମା ଏବଂ କ୍ବିଣ୍ଟନ୍ ଡି’ କକ୍ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିପାରି ନାହିଁ ମୁମ୍ବାଇ । ରୋହିତ ଶର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ଡି କକ୍ ୪୨ ବଲ ଖେଳି ୪ ଚୌକା ଏବଂ ୩ ଝକା ବଳରେ ୫୫ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୂର୍ଯ୍ୟକୁମାର ଯାଦବ ୫ରନ, ଇଶାନ୍ କିଷାନ୍ ୧୪ ରନ କରି ଆଉଟ ହୋଇଛନ୍ତି । କିରଣ ପୋଲାର୍ଡ ୨୧ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି ଆଉଟ ହୋଇଛନ୍ତି । ସୌରଭ ତିଓ୍ବାରୀ ୫ ରନ ଏବଂ ଆଡାମ୍ ମିଲ୍ନେ ୧ ରନ କରି ଅପରାଜିତ ଅଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ସ୍ପିନର୍ ମାନେ କମାଲ କରିଛନ୍ତି । ବରୁଣ ଚ୍ରକବର୍ତ୍ତୀ ଏବଂ ସୁନୀଲ ନରୀନ୍ ଚମତ୍କାର ବୋଲିଂ କରିଛନ୍ତି । ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ଦେଇଥିବା ବେଳେ ସୁନୀଲ ନରୀନ୍ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୩ ରନ ୨ ଓ୍ବିକେଟ, ଆନ୍ଦେ୍ର ରସେଲ ୩ ଓଭରରେ ୩୭ ରନ ଏବଂ ନୀତିଶ୍ ରାଣା ୧ ଓଭରରେ ୫ ରନ ଦେଇଥିବା ବେଳେ ଲୁକି ଫର୍ଗ୍ୟୁସନ୍ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି । ସୂଚନା ଯେ, ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍ରୁ ୪ ବିଜୟ ଶହ ୮ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଦଳ ଚତୁର୍ଥ ସ୍ଥାନରେ ରହିଛି । ନାଇଟ୍ ରାଇଡର୍ସ ୮ଟି ମ୍ୟାଚ୍ରୁ ୩ ବିଜୟ ସହ ୬ ପଏଣ୍ଟ ହାତେଇ ଷଷ୍ଠ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି ।
