ଆଇପିଏଲ୍-୨୦୨୧ : ଦିଲ୍ଲୀକୁ ୧୩୦ ରନ୍ର ସହଜ ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ
ଶାର୍ଜା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୬ତମ ମ୍ୟାଚ୍ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଶାର୍ଜା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଟିମ୍ ୨୦ ଓଭରରେ ୮ଓ୍ଵିକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୩୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଶସ୍ତାରେ ଆଉଟ୍ ହୋଇଥିଲେ। ସେ ୧୦ଟି ବଲ୍ ଖେଳି ଅବେଶଙ୍କ ବଲ କାଗିସୋ ରାବଡ଼ାଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍କୁ ଫେରି ଆସିଥିଲେ। ରୋହିତଙ୍କ ସହି ଓପନର ଖେଳିଥିବା କ୍ୱିଣ୍ଟନ୍ ଡି’ କକ୍ ୧୯ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଇଁ ସର୍ବାଧିକ ୩୩ ରନ୍ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ମାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ସୌରଭ ତିଓ୍ଵାରି ଦିଲ୍ଲୀ ବୋଲର ଅକ୍ଷର ପଟେଲଙ୍କ ବଲ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହେବା ପୂର୍ବରୁ ୧୫ ରନ୍ ସଂଗ୍ରହ କରିଥିଲେ। କିରନ ପୋଲାର୍ଡ ୬ ରନ୍, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍, କ୍ରୁନାଲ ପାଣ୍ଡ୍ୟା (ଅପରାଜିତ ୧୩ ରନ୍), ନାଥାନ କଲଟର ନାଇଲ ୧ ରନ୍, ଜୟନ୍ତ ଯାଦବ ୧୧ ଓ ଜସପ୍ରୀତ ବୁମ୍ରା ୧ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅବେଶ ଖାନ୍ ଓ ଅକ୍ଷର ପଟେଲଙ୍କୁ ୩-୩ ଓ୍ଵିକେଟ ମିଳିଥିଲା। ସେହିପରି ଅନରିଚ୍ ନୋରତ୍ଜେ ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଥିଲେ।
