ଆଇପିଏଲ-୨୦୨୧ : ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା
ଆବୁଧାବି : ଆଜି ଆଇପିଏଲ୍ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବ । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଏବେ ବି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସୁଯୋଗ ରହିଛି । କିନ୍ତୁ ସନରାଇଜର୍ସକୁ ବିଶାଳ ବ୍ୟବଧାନରେ ହରାଇବାକୁ ପଡ଼ିବ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସକୁ ୧୭୦ରୁ ଉଦ୍ଧ୍ୱର୍ ରନ୍ରେ ହରାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍ରେ ପ୍ରବେଶ କରିପାରିବ । ଉଭୟ ଦଳର ଏହା ଶେଷ ଲିଗ୍ ମ୍ୟାଚ ହୋଇଥିବାରୁ ଦର୍ଶକଙ୍କ ରୋମାଞ୍ଚ ଦ୍ୱିଗୁଣିତ କରିବା ଉଭୟ ଦଳର ପ୍ରଥମ କାର୍ଯ୍ୟ ହେବ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନରେ ସ୍ଥିରତା ନଥିବାବେଳେ ସନରାଇଜର୍ସର ପ୍ରଦର୍ଶନ ଲଜ୍ଜା ଜନକ ରହିଥିଲା । ସମ୍ପୂର୍ଣ୍ଣ ସିଜନରେ କେବଳ ଜାସନ ହୋଲ୍ଡର ଓ ରସିଦ ଖାନ୍ ସଫଳ ହୋଇଥିଲେ । ସେହିପରି ନବାଗତ ପେସ୍ ବୋଲର ଉମ୍ରାନ ମଲିକ୍ ଦ୍ରୁତ ବେଗରେ ବଲ୍ ପକାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲେ । ମୁମ୍ବାଇ ଇଣ୍ଡିଆନ୍ସକୁ ବିଶାଳ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସମ୍ଭବ ହେଲେ ସେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠି ପାରିବେ । ଅବଶ୍ୟ ଦଳର ପ୍ରମୁଖ ଖେଳାଳିମାନେ ଫର୍ମ ଫେରିପାଇଛନ୍ତି । ତେଣୁ ଆବୁଧାବିରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ।
ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ତାର ଚଳିତ ଆଇପିଏଲ୍ ଅଭିଯାନର ସବୁଠାରୁ ବଡ଼ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ରୋହିତ ଶର୍ମାଙ୍କ ସହ ପଏଣ୍ଟ୍ ତାଲିକାର ସବାଶେଷ ସ୍ଥାନରେ ରହି ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପୂର୍ବ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍ରେ ହରାଇଥିବା ମୁମ୍ବାଇ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ସହ ୧୨ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନରେ ରହିଛି। ତେବେ ଏହି ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ତାର ଦୁର୍ବଳ ନେଟ୍ ରନ୍ ରେଟ୍। ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ ରନ୍ ରେଟ୍ ସଂପ୍ରତି -୦.୦୪୮ ରହିଛି। ସେଥିପାଇଁ ପ୍ଲେ ଅଫ୍ ଯିବା ଲାଗି ଶୁକ୍ରବାର ମୁକାବିଲାରେ ସନ୍ରାଇଜର୍ସକୁ ହରାଇବା ସହ ଭଲ ରନ୍ ରେଟ୍ ରଖିବା ମୁମ୍ବାଇ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ହେଲେ ପ୍ରତିପକ୍ଷ ସନ୍ରାଇଜର୍ସ ହାଇଦ୍ରାବାଦ ତାର ପୂର୍ବ ମୁକାବିଲାରେ ତାରକା ଖଚିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ହରାଇବା ପରେ ତାର ମନୋବଳ ଏବେ ଢେର ଉଚ୍ଚରେ ରହିଛି। କେନ୍ ୱିଲିୟମସନ୍ଙ୍କ ଅଧିନାୟକତ୍ବରେ ଖେଳୁଥିବା ସନ୍ରାଇଜର୍ସ ମଧ୍ୟ ବିଜୟରେ ନିଜ ଅଭିଯାନ ଶେଷ କରି କିଛିଟା ସମ୍ମାନ ଫେରି ପାଇବା ଆଶାରେ ଥିବ। ମୁମ୍ବାଇ ପାଖରେ ଅବଶ୍ୟ ବହୁ ମ୍ୟାଚ୍ ବିଜୟୀ ଖେଳାଳି ଅଛନ୍ତି। ନିଜେ ରୋହିତ ଯେ କୌଣସି ମ୍ୟାଚ୍ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ। ତେବେ ଏହି ଦଳର ମଧ୍ୟକ୍ରମକୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ସୌରଭ ତିୱାରୀଙ୍କ ଭଳି ଖେଳାଳି ଥିଲେ ମଧ୍ୟ ମଧ୍ୟକ୍ରମ ବିଫଳତା ପାଇଁ ହିଁ ମୁମ୍ବାଇ ଆଜି ପ୍ଲେ୍ ଅଫ୍ରୁ ବାଦ ପଡ଼ିବା ଦ୍ବାର ଦେଶରେ ପହଞ୍ଚି ଯାଇଛି। ଯଶପ୍ରୀତ ବୁମ୍ରା, ନାଥନ କୁଲଟର ନାଇଲ୍, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହରଙ୍କ ଭଳି ବୋଲରଙ୍କୁ ନେଇ ମୁମ୍ବାଇ ବୋଲିଂ ବାହିନୀ ବେଶ୍ ଶକ୍ତିଶାଳୀ। ରାଜସ୍ଥାନ ବିପକ୍ଷରେ ସେମାନେ ନିଜ ଦକ୍ଷତାର ବଳିଷ୍ଠ ପ୍ରମାଣ ମଧ୍ୟ ଦେଖାଇ ସାରିଛନ୍ତି। ଅନ୍ୟପକ୍ଷରେ ସନ୍ରାଇଜର୍ସ ପାଇଁ ଅଧିନାୟକ କେନ୍ ୱିଲିୟମସନ୍ ଏପର୍ଯ୍ୟନ୍ତ ଏକ ଆଖି ଦୃଶିଆ ପାଳି ଖେଳି ପାରିନାହାନ୍ତି। ଜାସନ ରୟ ଭଲ କରୁଛନ୍ତି। ଅଭିଷେକ ଶର୍ମା, ପ୍ରିୟମ ଗର୍ଗ, ଅବଦୁଲ ସମଦ ଓ ଋଦ୍ଧିମାନ ସାହଙ୍କୁ କିନ୍ତୁ ନିଜ ଖେଳର ସ୍ତର ବଢ଼ାଇବାକୁ ହେବ। ଏହା ହେଲେ ଯାଇ ସନ୍ରାଇଜର୍ସ ଶକ୍ତିଶାଳୀ ମୁମ୍ବାଇକୁ ଟକ୍କର ଦେଇ ପାରିବ। ଭୁବନେଶ୍ବର କୁମାର, ରସିଦ ଖାନ୍, ସିଦ୍ଧାର୍ଥ କୌଲ ଏବଂ ଜାସନ ହୋଲ୍ଡରଙ୍କ ଭଳି ଖେଳାଳିଙ୍କୁ ନେଇ ସନ୍ରାଇଜର୍ସ ବୋଲିଂ ବାହିନୀ ମଧ୍ୟ ବେଶ୍ ସମୃଦ୍ଧ। ଦୁଇ ଦଳ ପୂର୍ବରୁ ୧୭ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୯ ମ୍ୟାଚ୍ ଜିତିଥିଲା ବେଳେ ସନ୍ରାଇଜର୍ସ ୮ଟି ମ୍ୟାଚ୍ରେ ବିଜୟୀ ହୋଇଛି।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ସୌରଭ ତିୱାରୀ, କିରଣ ପୋଲାର୍ଡ, ଜେମ୍ସ ନୀସାମ, ନାଥନ କୁଲଟର ନାଇଲ୍, ଜୟନ୍ତ ଯାଦବ, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ।
ସମ୍ଭାବ୍ୟ ସନ୍ରାଇଜର୍ସ ହାଇଦ୍ରାବାଦ: ଜାସନ ରୟ, ଅଭିଷେକ ଶର୍ମା, କେନ୍ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅବଦୁଲ ସମଦ, ଋଦ୍ଧିମାନ ସାହ, ଜାସନ ହୋଲ୍ଡର, ରସିଦ ଖାନ୍, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ଉମ୍ରାନ ମଲ୍ଲିକ।
