ଆଇପିଏଲ୍-୨୦୨୧: ରାଜସ୍ଥାନକୁ ୮୬ ରନ୍ରେ ପରାସ୍ତ କଲା କୋଲକାତା
ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୫୪ତମ ମ୍ୟାଚ ଶାରଜା କ୍ରିକେଟ୍ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ଏଥିରେ କୋଲକାତା ରାଜସ୍ଥାନକୁ ୮୬ ରନ୍ରେ ପରାସ୍ତ କରିଛି । ଏଥିସହ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛି। ପ୍ରଥମ ପାଳିରେ କୋଲକାତା ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍ କରିଥିଲା ।
ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଗିଲ୍ ଓ ଭେଙ୍କଟେଶ ଆୟର୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୯ ରନର ଭାଗିଦାରୀ କରିଥିଲେ। ଆୟର୍ ୩୮ (୩୫ ବଲ୍, ୩ ଚୌକା, ୨ ଛକା) ରନ୍ କରି ରାହୁଲ୍ ତେୱାତିଆଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନୀତୀଶ ରାଣା (୧୨) ନିରାଶ କରିଥିଲେ। ଗିଲ୍ ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଏହା ପରେ ସେ ନିଜ ୱିକେଟ୍ ହରାଇ ବସିଥିଲେ। ଗିଲଙ୍କୁ କ୍ରିସ୍ ମୋରିସ୍ ପ୍ୟାଭିଲିୟନ୍ ପଠାଇଥିଲେ। ରାହୁଲ୍ ତ୍ରିପାଠୀ ଦ୍ରୁତ ୨୧ (୧୪ ବଲ୍) ରନ୍ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ଦୁଇ ଅଭିଜ୍ଞ ଦିନେଶ କାର୍ତ୍ତିକ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଅପରାଜିତ ରହି ଦଳକୁ ୧୭୧ ରନରେ ପହଞ୍ଚାଇଥିଲେ। କାର୍ତ୍ତିକ ୧୧ ବଲରେ ୧୪ (୧ ଛକା) ଓ ମୋର୍ଗାନ ୧୧ ବଲରେ ୧୩ (୧ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ମୋରିସ୍, ଚେତନ ସାକାରିଆ, ତେୱାତିଆ ଓ ଗ୍ଲେନ୍ ଫିଲିପ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଜବାବରେ ରାଜସ୍ଥାନ ୧୬.୧ ଓଭରରେ ସମସ୍ତ ୱିକେଟ ହରାଇ ୮୫ ରନ୍ କରି ପରାସ୍ତ ହୋଇଛି । ରାଜସ୍ଥାନ ପକ୍ଷରୁ ରାହୁଲ ତେୱତିଆ ୩୬ ବଲରେ ୪୪ ରନ୍ କରିଥିବା ବେଳେ ଶିବମ୍ ଦୁବେ ୨୦ ବଲରେ ୧୮ ରନ୍ କରିଥିଲେ । ଅନ୍ୟପଟେ ଦଳର ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଯାହା ଫଳରେ ରାଜସ୍ଥାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଦ୍ବିତୀୟ ପାଳିରେ କୋଲକାତାର ଦମ୍ଦାର ବୋଲିଂ ଦେଖିବାକୁ ମିଳିଥିଲା । କୋଲକାତା ପକ୍ଷରୁ ଶିବମ୍ ମାଭି ୪ଟି ୱିକେଟ ନେଇଥିବା ବେଳେ ଲକି ଫର୍ଗୁସନ୍ ୩ଟି ୱିକେଟ ଓ ଶାକିବ ଅଲ ହାସନ, ବରୁଣ ଚକ୍ରବର୍ତ୍ତୀ ୧-୧ ୱିକେଟ ନେଇଥିଲେ । ଫଳରେ କୋଲକାତା ଏହି ମ୍ୟାଚକୁ ୮୬ ରନ୍ରେ ଜିତି ନେଇଥିଲା । ଏହି ବିଜୟ ସହ କୋଲକାତା ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥରେ ରହିଛି, ଏବଂ ନିଜର ରନ୍ରେଟକୁ ମଧ୍ୟ ସୃଦୁଢ କରିଛି । ଯାହା ଫଳରେ ପ୍ଳେ ଅଫକୁ ଯିବା ପାଇଁ ନିଜର ସ୍ଥାନକୁ ଏକ ପ୍ରକାର ପକ୍କା କରିଛି ।
