ଆଇପିଏଲ-୨୦୨୧ : ମୁମ୍ବାଇକୁ ୭ ଉଇକେଟରେ ହରାଇଲା କୋଲକାତା
ଦୁବାଇ : ଆବୁଧାବିର ଶେଖ ଜୟଦ ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୩୪ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି । ଏହିଁ ମ୍ୟାଚରେ ମୁମ୍ବାଇକୁ ୭ ଉଇକେଟରେ ହରାଇଲା କୋଲକାତା । କୋଲକାତା ଖେଳାଳି ରାହୁଲ ତ୍ରିପାଠୀ ଏବଂ ଭେଙ୍କଟେଶ ଆୟରଙ୍କ ଦମଦାର ଅର୍ଦ୍ଧଶତକ ସହଜ ବିଜୟ ଆଣିଦେଇଛି। ଆୟର ୫୩ ରନ୍ କରି ଆଉଟ ହୋଇଥିବା ବେଳେ ତ୍ରିପାଠୀ ୪୨ ବଲ୍ରେ ୭୪ ରନ୍ କରି ଅପରାଜିତ ଅଛନ୍ତି। ୧୫.୧ ଓଭରରେ ୩ ଓ୍ବିକେଟ ହରାଇ ୧୫୯ ରନ୍ ସଂଗ୍ରହ କିରିବା ସହ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇଛି।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୫ ରନ କରିଥିଲା । ଓପନର ରୋହିତ ଶର୍ମା ଏବଂ କ୍ବିଣ୍ଟନ୍ ଡି’ କକ୍ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିପାରି ନାହିଁ ମୁମ୍ବାଇ । ରୋହିତ ଶର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ଡି କକ୍ ୪୨ ବଲ ଖେଳି ୪ ଚୌକା ଏବଂ ୩ ଝକା ବଳରେ ୫୫ରନ କରି ଆଉଟ ହୋଇଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ ୫ରନ, ଇଶାନ୍ କିଷାନ୍ ୧୪ ରନ କରି ଆଉଟ ହୋଇଛନ୍ତି । କିରଣ ପୋଲାର୍ଡ ୨୧ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି ଆଉଟ ହୋଇଥିଲେ । ସୌରଭ ତିଓ୍ବାରୀ ୫ ରନ ଏବଂ ଆଡାମ୍ ମିଲ୍ନେ ୧ ରନ କରି ଅପରାଜିତ ଅଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ସ୍ପିନର୍ ମାନେ କମାଲ କରିଥିଲେ । ବରୁଣ ଚ୍ରକବର୍ତ୍ତୀ ଏବଂ ସୁନୀଲ ନରୀନ୍ ଚମତ୍କାର ବୋଲିଂ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ଦେଇଥିବା ବେଳେ ସୁନୀଲ ନରୀନ୍ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୩ ରନ ୨ ଓ୍ବିକେଟ, ଆନ୍ଦେ୍ର ରସେଲ ୩ ଓଭରରେ ୩୭ ରନ ଏବଂ ନୀତିଶ୍ ରାଣା ୧ ଓଭରରେ ୫ ରନ ଦେଇଥିବା ବେଳେ ଲୁକି ଫର୍ଗ୍ୟୁସନ୍ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଥିଲେ ।
