ଆଇପିଏଲ-୨୦୨୧ : କେକେଆର ଓ ହାଇଦ୍ରାବାଦ ମୁକାବିଲା, କେକେଆର ପାଇଁ କର ବା ମର ସ୍ଥିତି
ଦୁବାଇ : ଆଇପିଏଲ୍ର ୪୯ତମ ମ୍ୟାଚ୍ରେ ରବିବାର ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । କୋଲକାତା ପାଇଁ ବିଜୟ ନିହାତି ଜରୁରୀ । ଇତି ମଧ୍ୟରେ ୧୦ ପଏଣ୍ଟ ହାସଲ କରିସାରିଥବା କୋଲକାତା ଶେଷ ୨ଟି ଯାକ ମ୍ୟାଚକୁ ବିଶାଳ ବ୍ୟବଧାନରେ ଜିତି ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ହାଇଦ୍ରାବାଦ ବହୁ ପୂର୍ବରୁ ଟାଇଟଲ ଦୌଡରୁ ବାଦ ପଡ଼ି ସାରିଛି । ତେଣୁ ନାଇଟ୍ ରାଇଡର୍ସର ପ୍ଲେ-ଅଫ୍ ଦୌଡରେ ବାଦ୍ଧା ଉପୁଜାଇବାକୁ ସନରାଇଜର୍ସ ପ୍ରୟାସ କରିବ । ଦ୍ୱିତୀୟାର୍ଦ୍ଧରେ ନାଇଟ୍ ରାଇଡର୍ସର ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ଭେଙ୍କଟେଶ ଆୟର, ସୁନିଲ ନାରାଏନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ ବଳରେ ନାଇଟ୍ ରାଇଡର୍ସ ପ୍ଲେ-ଅଫ୍ ଦୌଡରେ ସାମିଲ ହୋଇଛି । ମ୍ୟାଚ୍ରେ ମଧ୍ୟ ଏମାନଙ୍କ ଠାରୁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିବ ।ସନରାଇଜର୍ସ ପୂର୍ବାପେକ୍ଷା ସନ୍ତୁଳିତ ହୋଇଥିଲେ ହେଁ ପ୍ରଦର୍ଶନରେ ସେଭଳି ଉନ୍ନତି ଦେଖିବାକୁ ମିଳିନାହିଁ । ବିଶେଷ କରି ଘରୋଇ ଖେଳାଳିମାନେ ଫର୍ମରେ ନଥିବାରୁ ସନରାଇଜର୍ସକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ିଛି । କେବଳ ରିଦ୍ଧିମାନ ଶାହାଙ୍କୁ ଛାଡ଼ିଦେଲେ କେହି ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି ।
ହାଇଦ୍ରାବାଦ ୧୧ ମ୍ୟାଚ୍ରୁ ୯ଟିରେ ପରାଜିତ ହୋଇ ତାଲିକାର ତଳେ ଥିବାବେଳେ କୋଲକାତା ୧୨ ମ୍ୟାଚ୍ରୁ ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହି ନକ୍ଆଉଟ ପର୍ଯ୍ୟାୟକୁ ଯିବା ଆଶା ରଖିଛି। ଆଇପିଏଲ୍ର ଚଳିତ ପର୍ଯ୍ୟାୟ ଆରମ୍ଭ ହେଲା ପରେ ହାଇଦ୍ରାବାଦ ଖେଳିଥିବା ୪ଟି ମ୍ୟାଚ୍ରୁ ମାତ୍ର ଗୋଟିକରେ ବିଜୟ ପାଇଛି। ତଥାପି ଲଗାତର ୫ଟି ମ୍ୟାଚ ପରାଜୟ ପରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିଜୟ ଧାରାକୁ ଫେରିଥିଲା। ହେଲେ ସାରଜାରେ ଖେଳିଥିବା ପରବର୍ତ୍ତୀ ମ୍ୟାଚ୍ରେ ଧୋନିଙ୍କ ସୁପରକିଙ୍ଗ୍ସଠୁ ୬ ଵିକେଟରେ ପରାଜିତ ହୋଇଥିଲା। ଏହି ବିଜୟ ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିଥିଲା। ହାଇଦ୍ରାବାଦ ଦଳରେ ଅଧିନାୟକ ବଦଳାଇଥିଲେ ବି ଏହାର ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜନି ବେୟାରଷ୍ଟୋଙ୍କ ଅନୁପସ୍ଥିତିରେ ଦଳର ବ୍ୟାଟି˚ କ୍ରମ ସବୁଠୁ ଦୁର୍ବଳ ଭାଗ ହୋଇ ରହିଯାଇଛି। ରାଜସ୍ଥାନ ବିପକ୍ଷରେ ପଦାର୍ପଣ କରିଥିବା ଜାସନ୍ ରଏଙ୍କ ଦ୍ରୁତ ୬୦ ରନ୍ ଓ ଅଧିନାୟକ କେନ୍ ଵିଲିୟମସନ୍ଙ୍କ ୫୧ ରନ୍ ଯୋଗୁଁ ପୂର୍ବ ମ୍ୟାଚ୍ରେ ୧୬୫ ରନ୍କୁ ପିଛା କରିବାରେ ସଫଳ ହୋଇଥିଲା। କିନ୍ତୁ ଚେନ୍ନାଇ ବିପକ୍ଷରେ ଏମାନଙ୍କ ବ୍ୟାଟ ଶାନ୍ତ ପଡ଼ିଯାଇଥିଲା। ବୋଲି˚ ବିଭାଗରେ ଜାସନ୍ ହୋଲ୍ଡର ଦଳକୁ ସଫଳତା ଦେଇପାରୁଛନ୍ତି। କିନ୍ତୁ ଭାରତର ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଓ ସିଦ୍ଧାର୍ଥ କୌଲ ନିରାଶ କରିଆସୁଛନ୍ତି। ଲେଗ୍ ସ୍ପିନର ରସିଦ୍ ଖାନ୍ ଯେକୌଣସି ଦଳ ବିପକ୍ଷରେ ହାଇଦ୍ରାବାଦର ସବୁଠୁ ବଡ଼ ଅସ୍ତ୍ର। କିନ୍ତୁ ସେ ମଧ୍ୟ ତାଙ୍କ ଯାଦୁଗରି ଦେଖାଇପାରୁନାହାନ୍ତି। ଅନ୍ୟପକ୍ଷରେ କୋଲକାତା ପାଇଁ ଆଇପିଏଲ୍ର ବର୍ତ୍ତମାନର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ୩ ମ୍ୟାଚ୍ରେ ବିଜୟୀ ହୋଇଥିଲା ବେଳେ ଦୁଇଟି ମ୍ୟାଚ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରତିଯୋଗିତାର ଦ୍ବିତୀୟ ଭାଗରେ କୋଲକାତା ଆଶାନୁରୂପକ ପ୍ରଦର୍ଶନ କରିପାରିଛି। ଏପରିକି ହାରିଥିବା ମ୍ୟାଚ୍ଗୁଡ଼ିକ ଖୁବ୍ ନିକଟତର ଥିଲା। ଶେଷ ଓଭରରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା। ଏହି ପର୍ଯ୍ୟାୟରେ ଭେଙ୍କଟେଶ ଆୟର ଦଳର ତାରକା ଖେଳାଳି ପାଲଟିଯାଇଛନ୍ତି ଏବ˚ ରାହୁଲ ତ୍ରିପାଠୀ ଏହି ସ˚ସ୍କରଣରେ ଦଳ ପାଇଁ ସର୍ବାଧିକ ରନ୍ ସ˚ଗ୍ରହ କରିଛନ୍ତି। ନିତିଶ ରାଣାଙ୍କୁ ଉପରେ ଖେଳାଇବା ନିଷ୍ପତ୍ତି ଫଳପ୍ରଦ ହୋଇଥିଲେ ବି ଶୁଭମନ ଗିଲ୍ ଭଲ ଆରମ୍ଭ ଦେଇପାରୁନାହାନ୍ତି। ବୋଲି˚ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ଦଳ ପାଇଁ ଅଧିକ ଵିକେଟ ବାହାରକରିପାରୁଛନ୍ତି। ତେବେ ଦ୍ରୁତ ବୋଲି˚ କ୍ଷେତ୍ରରେ କୋଲକାତା ଏବେ ବି ସ˚ଘର୍ଷ କରୁଛି। ଆନ୍ଦ୍ରେ ରସେଲ୍ ଓ ଲୋକି ଫର୍ଗ୍ୟୁସନ୍ ଆହତ ଯୋଗୁଁ ବିଶ୍ରାମରେ ଥିବାବେଳେ ଅଧିନାୟକ ଇଅନ ମୋର୍ଗାନ୍ଙ୍କୁ ଏମାନଙ୍କ ବଦଳ ଖେଳାଳି ଖୋଜିବାକୁ ହେବ। ଏପରିକି ମୋର୍ଗାନଙ୍କଠୁ ମଧ୍ୟ ଦଳ ବଡ଼ ରନ୍ ଆଶା ରଖିବ। ଦଳ ପାଇଁ ଟିମ୍ ସାଉଦି ଓ ଶିବମ୍ ମାଭି ଦୁଇ ନୂଆ ଦ୍ରୁତ ବୋଲି˚ ଯୋଡ଼ି। ତେବେ ପ୍ରାରମ୍ଭିକ ଵିକେଟ ବାହାର କରିବା ଦାୟିତ୍ବ ଏମାନଙ୍କ କାନ୍ଧରେ ରହିବ। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଦ୍ରୁତ ବୋଲି˚ କ୍ଷେତ୍ରରେ ଆଉ ଏକ ବିଳକ୍ପ ଭାବେ ଦଳ ପାଖରେ ରହିଛି।
ସମ୍ଭାବ୍ୟ କେକେଆର ଏକାଦଶ: ଇଅନ୍ ମୋର୍ଗାନ (ଅଧିନାୟକ), ଶୁବମନ ଗିଲ୍, ଭେଙ୍କଟେଶ୍ ଆୟର, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଦୀନେଶ କାର୍ତ୍ତିକ, ଟିମ୍ ସିଫର୍ଟ/ସକାବ୍ ଅଲ୍ ହାସନ, ସୁନିଲ ନାରାୟଣ, ଟିମ୍ ସାଉଦି, ଏମ୍.ପ୍ରସିଦ୍ଧ କ୍ରିଷ୍ଣା/ସନ୍ଦୀପ ୱାରିଅର, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: କେନ୍ ଵିଲିୟମସନ୍ (ଅଧିନାୟକ), ଜାସନ୍ ରୟ, ରିଦ୍ଧିମାନ ସାହା, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଜାସନ୍ ହୋଲ୍ଡର, ଅବ୍ଦୁଲ ସାମଦ, ରସିଦ୍ ଖାନ୍, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା।
