ଆଇପିଏଲ-୨୦୨୧ : ଦିଲ୍ଲୀକୁ ୧୩୫ ରନର ଟାର୍ଗେଟ୍ ଦେଲା ହାଇଦ୍ରାବାଦ
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଇପିଏଲର ୩୩ତମ ମ୍ୟାଚ୍ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ନିରାଶ କଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍। ହାଇଦ୍ରାବାଦ ବ୍ୟାଟିଂରେ ସେତେଟା ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହିଁ।ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଛି। ଫଳରେ ଦିଲ୍ଲୀ ସାମ୍ନାରେ ୧୩୫ ରନର ସହଜ ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚ୍ ଜିତିଲେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟର ଶୀର୍ଷକୁ ଉଠିବ। ଅନ୍ୟପଟେ ମୁକାବିଲା ନଜିତିଲେ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ ଆଶା ମଉଳି ଯିବ।
ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ତୃତୀୟ ବଲରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୦)ଙ୍କୁ ପ୍ୟାଭିଲିୟନ୍ ପଠାଇ ଆନରିଚ୍ ନୋର୍ଜେ ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ଋଦ୍ଧିମାନ ସାହା (୧୮) ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ କାଗିଗୋ ରବାଡା ଆଉଟ୍ କରିଥିଲେ। କ୍ୟାପଟେନ୍ ୱିଲିୟମସନ୍ ଧିମା ବ୍ୟାଟିଂ କରିଥିଲେ, ଯାହାର ପ୍ରଭାବ ଟିମର ରନରେଟ୍ ଉପରେ ପଡ଼ିଥିଲା। ସେ ୧୮ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ମିଡଲ୍ ଅର୍ଡରରେ ମନିଷ ପାଣ୍ଡେ (୧୭) ଓ କେଦାର ଯାଦବଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଅବଦୁଲ ସାମଦ ଓ ରାଶିଦ୍ ଖାନଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଟିମ୍ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ସାମଦ ୨୧ ବଲରେ ୨ ଚୌକା ଓ ୧ ଛକା ସହ ୨୮ ଓ ରାଶିଦ୍ ଖାନ୍ ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ଜେସନ୍ ହୋଲ୍ଡର ୧୦ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ଟି, ନୋର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
