ଆଇପିଏଲ-୨୦୨୧ : ଆଜି ଦିଲ୍ଲୀ-ଆରସିବି ମୁକାବିଲା
ଦୁବାଇ : ଆଜି ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ ପ୍ଲେ-ଅଫ୍ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍ର ଫଳାଫଳ ବିଶେଷ ଗୁରୁତ୍ୱ ରଖିବ ନାହିଁ । କେବଳ ଉପଯୁକ୍ତ ଅଭ୍ୟାସ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉଭୟ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ସନରାଇଜର୍ସ ଠାରୁ ପରାଜିତ ହୋଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ । ଏହି ଅପ୍ରତ୍ୟାଶିତ ପରାଜୟ ପରେ ଖେଳାଳିମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି । ଆଜି ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ସହ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତି ମନୋବଳ ଦ୍ୱିଗୁଣିତ କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ପ୍ଲେ-ଅଫ୍ ପାଇଁ ମ୍ୟାଚ୍ ଉପଯୁକ୍ତ ଅଭ୍ୟାସ ଯୋଗାଇବ । ଦଳର ପ୍ରତ୍ୟେକ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ମାର୍କସ ଷ୍ଟଇନିସ ଆହତ ଥିଲେ ହେଁ ଏହା ଦଳକୁ ପ୍ରଭାବିତ କରିବ ନାହିଁ ।
ପ୍ଲେ ଅଫ୍ରେ ପ୍ରବେଶ କରି ସାରିଥିଲେ ମଧ୍ୟ ଗତମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପ୍ରଥମ ଦୁଇ ସ୍ଥାନରେ ଲିଗ୍ ଅଭିଯାନ ଶେଷ କରିବାର ସୁଯୋଗ ଏକପ୍ରକାର ହାତଛଡ଼ା କରିସାରିଛି। ଅବଶ୍ୟ ଦ୍ବିତୀୟ ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଅପ୍ରତ୍ୟାଶିତ ଭାବେ ହ୍ୟାଟ୍ରିକ୍ ପରାଜୟ ବରଣ କରିବା ପରେ କିନ୍ତୁ ଦ୍ବିତୀୟ ସ୍ଥାନକୁ ଯିବା ଲାଗି ଆର୍ସିବି ହାତରେ ଛୋଟକାଟିଆ ସୁଯୋଗ ଉପନୀତ ହୋଇଛି। ଚେନ୍ନାଇ ୯ ବିଜୟ ସହ ୧୮ ପଏଣ୍ଟ୍ରେ ଲିଗ୍ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍ ହାତରେ ଥାଇ ଆର୍ସିବି ୧୬ ପଏଣ୍ଟ୍ରେ ରହିଛି। ଏଣୁ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ରେ ବଡ଼ ବିଜୟ ହାସଲ କଲେ ଏହି ଦଳ ଚେନ୍ନାଇକୁ ତୃତୀୟ ସ୍ଥାନକୁ ହଟାଇ ଦେଇପାରେ। ଏଥିଲାଗି ଆର୍ସିବିକୁ ନିଜ ନେଟ୍ ରନ୍ରେଟ୍ରେ (ଯାହାକି ଏବେ -୦.୧୫୯ ରହିଛି) ଯଥେଷ୍ଟ ଉନ୍ନତି ଆଣିବାକୁ ହେବ। କାରଣ ଏହି କ୍ଷେତ୍ରରେ ଚେନ୍ନାଇ (୦.୪୫୫) ଯଥେଷ୍ଟ ଆଗରେ ରହିଛି।
ଏଣୁ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆର୍ସିବି ଏକ ବଡ଼ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ତେବେ ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ଆର୍ସିବି ପାଇଁ ଆଦୌ ସହଜ ହେବନି। କାରଣ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଗତ ମୁକାବିଲାରେ ଆର୍ସିବି ମାତ୍ର ୧୪୨ ରନ୍ର ବିଜୟ ଲକ୍ଷ୍ୟକୁ ବି ହାସଲ କରି ପାରିନଥିଲା। ଅଧିନାୟକ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍, ଦେବଦତ୍ତ ପଡ଼ିକଲ, ଏବି ଡି’ଭିଲିୟର୍ସଙ୍କ ଭଳି ପାୱାର ହିଟର୍ ଥିଲେ ମଧ୍ୟ ଠିକଣା ସମୟରେ ସମସ୍ତେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଆର୍ସିବି ବୋଲରମାନେ ଅବଶ୍ୟ ମାପଚୁପ ବୋଲିଂ କରି ସନ୍ରାଇଜର୍ସକୁ ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲେ। ହର୍ଷଲ ପଟେଲ, ଜର୍ଜ ଗର୍ଟନ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଓ ଶାହବାଜ ଅହମ୍ମଦଙ୍କୁ ଶୁକ୍ରବାର ମଧ୍ୟ ନିଜ ପୁରୁଣା ସଫଳତାକୁ ଦୋହରାଇବାକୁ ପଡ଼ିବ। ଅନ୍ୟପକ୍ଷରେ ଗତ ୫ ମ୍ୟାଚ୍ରୁ ୪ଟିରେ ବିଜୟୀ ହୋଇଥିବା ଦିଲ୍ଲୀ ଉଭୟ ବଲ୍ ଓ ବ୍ୟାଟ୍ରେ ବେଶ୍ ଶକ୍ତିଶାଳୀ। ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ୍ ଆୟର, ଅଧିନାୟକ ଋଷଭ ପନ୍ତଙ୍କ ସହ ଆନରିକ ନର୍ଖିୟା, କାଗିସୋ ରବାଦା, ରବିଚନ୍ଦ୍ରନ୍ ଅଶ୍ବିନ ଓ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଏହି ଦଳ ପାଖରେ ଅଛନ୍ତି। ଆର୍ସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ୨୬ ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତି ଢେର ଆଗରେ ରହିଛି ଆର୍ସିବି। ଦିଲ୍ଲୀ କେବଳ ୧୦ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି। ଦିଲ୍ଲୀ କିନ୍ତୁ ସଂପ୍ରତି ବହୁତ ଭଲ ଫର୍ମରେ ଅଛି। ଯାହା ଆର୍ସିବି ପାଇଁ ଚିନ୍ତାର କାରଣ ହୋଇପାରେ।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ରିପଲ ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, ସିମରନ୍ ହେଟମେୟର, ଅକ୍ଷର ପଟେଲ, କାଭିସୋ ରବାଦା, ଅଭେସ ଖାନ୍, ଅନରିକ୍ ନର୍ଖିୟା।
ସମ୍ଭାବ୍ୟ ଆର୍ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଡାନ୍ କ୍ରିଷ୍ଟିଆନ୍, ଶ୍ରୀକର ଭାରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡିଭିଲିୟର୍ସ, ଶାହାବାଜ ଅହମ୍ମଦ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।
