ଆଇପିଏଲ୍-୨୦୨୧ : ଦିଲ୍ଲୀକୁ ହରାଇ ନବମ ଥର ପାଇଁ ଫାଇନାଲ୍ରେ ଚେନ୍ନାଇ
ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ ପାଇଁ ଆଜି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚରେ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଦୁଇ ଟିମ୍ ଜୋରଦାର ପ୍ରୟାସ କରିଥିଲେ । ମାତ୍ର ପ୍ରଥମ କ୍ଵାଲିଫାୟରରେ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଲା ଚେନ୍ନାଇ ସୁପରକିଙ୍ଗ୍ସ। ଦିଲ୍ଲୀକୁ ୪ ଓ୍ଵିକେଟ୍ରେ ହରାଇ ରେକର୍ଡ ନବମ ଥର ଆଇପିଏଲର ଫାଇନାଲ୍ରେ ପ୍ରବେଶ କରିଛି ଚେନ୍ନାଇ। ଦଳ ଶେଷ ଥର ଆଇପିଏଲ ୨୦୧୯ ଫାଇନାଲ୍ରେ ପ୍ରବେଶ କରିଥିଲା। ଋତୁରାଜ ଗାଏକଓ୍ଵାଡ ଏବଂ ରବିନ ଉଥପ୍ପାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ଏହି ବଡ ବିଜୟ ହାସଲ କରିଛି। ଶେଷ ଓଭରରେ ୧୩ ରନ ଦରକାର ଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଚୌକା ମାରି ଦଳକୁ ଜିତାଇଛନ୍ତି। ଅନ୍ୟପଟେ ପରାଜିତ ଦିଲ୍ଲୀ ଏଲିମିନେଟର ମ୍ୟାଚ୍ରେ ବିଜୟୀ ଦଳ ସହ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ ଖେଳିବ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା କ୍ୱାଲିଫାୟର୍-୧ ମୁକାବିଲାରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀ ପାଇଁ ପୃଥ୍ୱୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଆରମ୍ଭରୁ ହିଁ ଦ୍ରୁତ ରନ୍ କରିଥିଲେ। ଗୋଟିଏ କ୍ରମାଗତ ୱିକେଟ୍ ପତନ ଚାଲିଥିବା ବେଳେ ପୃଥ୍ୱୀ ନିର୍ଭୀକ ବ୍ୟାଟିଂ କରି ଟିମର ରନ୍ ଗତି ବଢ଼ାଇଥିଲେ। ଅନ୍ୟପଟେ ଓପ୍ନର ଶିଖର ଧୱନ୍ (୭)ଙ୍କୁ ଦିଲ୍ଲୀ ଶସ୍ତାରେ ହରାଇଥିଲା। ଧୱନଙ୍କୁ ଜୋଶ୍ ହେଜଲଉଡ୍ ଆଉଟ୍ କରିଥିଲେ। ଇନଫର୍ମ ବ୍ୟାଟ୍ସମ୍ୟାନ୍ ଶ୍ରେୟର୍ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେହିପରି ଅକ୍ଷର ପଟେଲ୍ (୧୦) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଟିମର ସ୍କୋର ୮୦ ରନ୍ ଥିବା ବେଳେ ପୃଥ୍ୱୀଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ।ଏହା ପରେ ଦଳର ରନ୍ ଗତିକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ପନ୍ତ ଓ ହେଟମେୟର୍। ଦୁହେଁ ଚେନ୍ନାଇର ମଜଭୁତ୍ ବୋଲିଂ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ପଞ୍ଚମ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ହେଟମେୟର୍ ୨୪ ବଲରେ ୩୭ (୩ ଚୌକା, ୧ ଛକା) ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ଶିକାର ହୋଇଥିଲେ। ଏହା ପରେ ପନ୍ତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୧୭୨ ରନରେ ପହଞ୍ଚାଇଛନ୍ତି। ପନ୍ତ ୩୫ ବଲରେ ୩ ଚୌକା ଓ ୨ ଛକା ସହ ୫୧ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ହେଜଲଉଡ୍ ୨ଟି ୱିକେଟ୍ ନେଇଥିବା ବେଳେ ଜାଡେଜା, ବ୍ରାଭୋ ଓ ମୋଇନ୍ ଅଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଜବାବରେ ଋତୁରାଜଙ୍କ ୭୦ ଏବଂ ରବିନ ଉଥପ୍ପାଙ୍କ ୬୩ ରନ ବଳରେ ଚେନ୍ନାଇ ୧୯.୩ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଧୋନୀ ୬ ବଲ୍ରୁ ୧୮ ରନ କରି ଦଳକୁ ବିଜୟୀ କରାଇଛନ୍ତି।
