କେନ୍ଦ୍ରାପଡାରେ ଅନ୍ତର୍ଜାତିକ ଅଲିଭ ରିଡଲି ବହୁଭାଷୀ କବି ସମ୍ମିଳନୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା କଳ୍ପନା ଫାଉଣ୍ଡେସନ ଆନୁକୂଲ୍ୟରେ ଡଃ. କଳ୍ପନା ମଲ୍ଲିକଙ୍କ ସଂଯୋଜନାରେ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପରେ ପ୍ରଥମ ଅନ୍ତର୍ଜାତିକ ଅଲିଭ ରିଡଲି ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଚେନାଇର ପୂଜ୍ୟଗୁରୁ ସ୍ୱାମୀ ସୁଧାନନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳ ପୂର୍ବକ ଉଦଘାଟନ କରି ଆଧ୍ୟାତ୍ମିକ ଅର୍ଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜେ.କେ.ସି କଲେଜର ପ୍ରଫେସର ପି. ନାଗ ସୁଶିଳା, ରାଜେନ୍ଦ୍ର ପାଢୀ, ରମାକାନ୍ତ ଦାସ, ମହାରାଷ୍ଟ୍ରର ମନିଷ ୱାଙ୍ଖଡେ ପ୍ରମୁଖ ମଞ୍ଚାସୀନ ହୋଇ ବହୁଭାଷୀ କବିତା ଉପରେ ଆଲୋଚନା କରିବା ସହ କଇଁଛ ସୁରକ୍ଷା ଓ ପରିବେଶ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କବି ରୀତା ଦେ, ବିଶ୍ୱନାଥ କୁଣ୍ଡୁ, ପାର୍ଥ ବାନାର୍ଜୀ, କଲିକତାର ଅରବିନ୍ଦ ଚୈାଧୁରୀ, ରତନ ଘୋଷ, କୋଚିନର ଆଲ.ବି. ରେମଣ୍ଡ, ଆନ୍ଧ୍ରପ୍ରଦେଶର ସାଇ ପ୍ରକାଶ, ଡଃ. ବାସୁଦେବ ଦାସ, ଡଃ. ସର୍ବେଶ୍ୱର ସେଣ, ରାଜେନ୍ଦ୍ର ପାଢୀ ,ଅନ୍ନପୂର୍ଣ୍ଣା ମହାନ୍ତି, ରୋହିତ ଦାସ, ରମାକାନ୍ତ ଦାସ, ସରୋଜ ପଣ୍ଡା, ବିଭୁଦତ୍ତ ସାହୁ, ପ୍ରେମାନନ୍ଦ ଖଣ୍ଡୁଆଳ, ହେମନ୍ତ ରାଉତ ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ କବି ଡଃ. କଳ୍ପନା ମଲ୍ଲିକଙ୍କ ରଚିତ ଇଂରାଜୀ କବିତା ପୁସ୍ତକ ଥାର୍ଡ ଆଇ ଏବଂ ସମ୍ପାଦିତ ପୁସ୍ତକ “ରେନବୋଜ ଇନ ଦ ଇଷ୍ଟର୍ଣ୍ଣ ସ୍କାଏ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ କବି ଓ କବୟିତ୍ରୀମାନଙ୍କୁ ପ୍ରମାଣପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏଥିସହିତ ପ୍ରଫେସର ପି. ନାଗ ସୁଶିଳା ସମ୍ମିଳନୀର ଆୟୋଜକ ଡଃ. ମଲ୍ଲିକଙ୍କୁ ତିରୁପତି ଭେଙ୍କଟେଶ୍ୱରଙ୍କ ଏକ ପ୍ରତିମୂର୍ତ୍ତି, ଏକ ଶାଢୀ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମାଜସେବୀ ଗୈାତ୍ତମ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନୋରମା ସିଂ, ଶୁଭଲକ୍ଷ୍ମୀ ସିଂ, ଆର୍ଯ୍ୟାଶ୍ରୀ ତେଜସ୍ୱିନୀ, ଅବିନାଶ ଦିଗବିଜୟୀ, ଅନନ୍ୟା ରାୟ, ରାନୁ ପରିଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
