ଆନ୍ତର୍ଜାତୀୟ ସାଂସ୍କୃତିକ ଉତ୍ସବ “ଉନୁରୁମ” ଉଦଯାପିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗତ ୨୪ ତାରିଖ ନଭେମ୍ବର ଠାରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସାଂସ୍କୃତିକ ସମାରୋହର “ଉନୁରୁମ” ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍, ସାଂସଦ ଶ୍ରୀଯୁକ୍ତ ପ୍ରତାପ୍ ଚନ୍ଦ୍ର ଷଡଙ୍ଗୀ, କବି ଶୈଳଜ୍ ରବି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଲୋକକଳା ଓ ଲୋକସଂସ୍କୃତିକୁ ଲୋକାଭିମୁଖି କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି, ଏହା କଳାଗତ ସୌନ୍ଦର୍ଯ୍ୟ ଉପଲବ୍ଧି ସହିତ ଆମ ସଂସ୍କୃତିର ପିଠାପଣା ଓ ହସ୍ତଶିଳ୍ପ ସହିତ ଆଧୁନିକ ଶୈଳୀର ଜୀବନ ବଞ୍ଚୁଥିବା ଛାତ୍ରଛାତ୍ରୀ ତଥା ବ୍ୟକ୍ତି ବିଶେଷଙ୍କ ଭିତରେ ପାରମ୍ପରିକ ରୀତିନୀତି ଓ ଚଳଣି ସହିତ ପରିଚିତ ହୋଇ ତା’ର ଗୁତୁତ୍ତ୍ୱ ବୁଝିବାର କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି ପ୍ରକାଶ କରିଥିଲେ ।
ଆମ ସଂସ୍କୃତି ଆମର ପରିଚୟ, ମୁଁ ଗୋଟିଏରୁ ଦୁଇ ବର୍ଷ ଭିତରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରି ଇଟାଲି ପ୍ରତ୍ୟାବର୍ତ୍ତନ କରିଯିବାର ବିଚାର କରି ଆସିଥିଲି, କିନ୍ତୁ ଓଡ଼ିଶା ସାଂସ୍କୃତିକ ମୂଲ୍ୟବୋଧ ଦୃଷ୍ଟିରୁ ଅତି ସମୃଦ୍ଧ ଯାହା ମୋତେ ଆଜି ପର୍ଯ୍ୟନ୍ତ ଦୀର୍ଘ କୋଡ଼ିଏ ବର୍ଷ ଧରି ବାନ୍ଧି ରଖିଛି । ମୁଁ ଓଡ଼ିଶୀ ନୃତ୍ୟର ପ୍ରତିନିଧିତ୍ୱ କରି ନିଜକୁ ଧନ୍ୟ ମନେ କରୁଛି । ସର୍ବୋପରି ଲୋକସଂସ୍କୃତି ନିକଟରେ ଥିବା ଭୂମିସଂଲଗ୍ନ ବାସ୍ତବତାକୁ ଚିହ୍ନି ଚିହ୍ନାଇ ଦେବାର ପ୍ରୟାସ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରକୃତରେ ଏକ ଉଦାହରଣ ପ୍ରସ୍ତୁତ କରିଛି ବୋଲି ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍ ମତ ପ୍ରକାଶ କରିଥିଲେ । ଜୀବନରେ ଶୃଙ୍ଖଳା ଓ ପ୍ରତିଶ୍ରୁତିବଦ୍ଧତା ନରହିଲେ ତାହା ମୂଲ୍ୟହୀନ ହୋଇଯାଏ, ଲୋକସଂସ୍କୃତି ଓ ଲୋକସାହିତ୍ୟ ସଭ୍ୟତାକୁ ଗୋଟିଏ ସଂରଚନାତ୍ମକ ମାର୍ଗ ପ୍ରଦର୍ଶନ କରିଥାଏ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସେହି କେନ୍ଦ୍ରୀୟ ଭାବଧାରାକୁ ବ୍ୟବହାରିକ ସ୍ତରକୁ ଆଣିବାର ପ୍ରଶଂଶନୀୟ ପ୍ରୟାସ କରିଛି ବୋଲି ବରେଣ୍ୟ ଅତିଥି ଶୈଳଜ ରବି ପ୍ରକାଶ କରିଥିଲେ । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ୍ ଚନ୍ଦ୍ର ଷଡଙ୍ଗୀ ଗୋଟିଏ ଗତାନୁଗତିକ ଧାରାରେ ପାଠପଢ଼ି ବର୍ତ୍ତମାନର ଯୁଗୀୟ ବୈଶିଷ୍ଟ୍ୟ ଭିତରେ ବହୁମୂଖୀ ପ୍ରତିଭାର ଅଧିକାରୀ ହୋଇପାରିବ ନାହିଁ ତେଣୁ ନୂଆନୂଆ ବିଷୟ ପ୍ରତି ଆଗ୍ରହ ଓ ନିରନ୍ତରତା ରଖି ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣରେ ପ୍ରବୃତ୍ତ ରହିଲେ ସିଦ୍ଧି ଅବଶ୍ୟ ପ୍ରାପ୍ତ ହେବ, “ଉନୁରୁମ” ବିଦ୍ୟାର୍ଥୀଙ୍କୁ ସଂସ୍କୃତି ମନସ୍କ କରିଛି ବୋଲି ମତ ଦେଇଥିଲେ । ପ୍ରକୃତିମାତା କଳାର ଯେଉଁ ଅନନ୍ତ ତରଙ୍ଗ ଆମ ନିକଟକୁ ପ୍ରେରଣ କରୁଅଛି ତାକୁ ଉପଲବ୍ଧି କରିପାରିଲେ ଆମ କଳା ଅଦ୍ଭୁତ ହୋଇଯିବ ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ପ୍ରକାଶ କରିବା ସହିତ ନୃତ୍ୟ ମାଧ୍ୟମରେ ଈଶ୍ୱରଙ୍କ ସାନିଧ୍ୟ ଉପଲବ୍ଧି କରାଇବା କଳାର ଏକ ବିଶେଷତ୍ୱ ବୋଲି ସେ ମତ ଦେଇଥିଲେ । କ୍ଷୟିଷ୍ଣୁ ପ୍ରାୟ ବିଦ୍ୟା ଓ ଜ୍ଞାନ କୌଶଳର ସଂରକ୍ଷଣ ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅନେକ ପଦକ୍ଷେପମାନ ଗ୍ରହଣ କରି ଜ୍ଞାନ ବିତରଣର ଧାରା ସୃଷ୍ଟି କରିଛି ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ମହୋଦୟ ପ୍ରକାଶ କରିଥିଲେ । ଓଡ଼ିଶାର ଲୋକପ୍ରିୟ କଳାକାର ଶ୍ରୀଯୁକ୍ତ ଅଶୃମୋଚନ ମହାନ୍ତି କଳା ଭିତରେ ବଞ୍ଚିବାର ସ୍ରୋତ ପ୍ରବାହିତ ଯାହା ଜୀବନକୁ ମାର୍ଜିତ ଓ ସୁନ୍ଦର କରେ ବୋଲି କହିଥିଲେ । କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ଶ୍ରେଣୀଗୃହର ବିଧିବଦ୍ଧ ପାଠପଢା ସହିତ
ପ୍ରଦର୍ଶନଶୀଳ କଳା ଓ ସଂସ୍କୃତି ପ୍ରତି ବିଦ୍ୟାର୍ଥୀଙ୍କୁ ଅନୁରାଗୀ କରାଇ ସେ ଦିଗରେ ପ୍ରଶିକ୍ଷଣ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଥିଲା ବୋଲି ପ୍ରକାଶ କରିଥିଲେ ଏବଂ ନିକଟ ଭବିଷ୍ୟତରେ “ସେଣ୍ଟର ଫର୍ କଣ୍ଟେମ୍ପରାରି ଆର୍ଟ” କେନ୍ଦ୍ର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ଇଲିଆନା ସିତାରିଷ୍ଟ, ଶୈଳଜ ରବି, ନାନ୍ସି ପପ୍, ସଦାଶିବ ପ୍ରଧାନ ପ୍ରମୁଖଙ୍କୁ ଡ. ଦୀନାନାଥ ପାଠି ସାମ୍ନାରେ ଏବଂ କଳାକାର ଅଶୃମୋଚନ ମହାନ୍ତିଙ୍କୁ “ଉନୁରୁମ” ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏଥି ସହିତ “ଉନୁରୁମ” ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତିବିଦ୍ୟାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏଥିରେ ଯୋଗ ଦେଇଥିବା ଶିଳ୍ପୀ ଓ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅନୁରୂପ ଭାବେ ଜଉ କଣ୍ଢେଇ, ଥିଏଟର୍ ଆର୍ଟ୍, ପାମ୍ ଲିଫ୍ ଆର୍ଟ୍ ଓ ଚିତ୍ରକଳା ଆଦି ଚାରୋଟି ବିଷୟର କର୍ମଶାଳାରେ ଅଂଶଗ୍ରହଣ କରିଥିବା ୧୦୦ ଜଣ ବିଦ୍ୟାର୍ଥୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଫକୀର ମୋହନ ବିରଚିତ “ଡାକମୁନସି” ଗଳ୍ପର ନାଟ୍ୟରୂପ ମଞ୍ଚସ୍ଥ ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜକ ଡ. ଦେବାଶିଷ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଡ. ସ୍ମୃତି ପାଢ଼ୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ “ୟଙ୍ଗ୍ ହାର୍ଟ” ର ବରେଣ୍ୟ ସଦସ୍ୟ ବିକର୍ତନ ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।
