ପୁରୀ ବେଳାଭୂମିରେ ଆକର୍ଷଣୀୟ ଏୟାର ସୋ; ଉଡ଼ିଲା ୯ ଲଢ଼ୁଆ ବିମାନ
ପୁରୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ ରୋମାଚଂକର କଳା କୌଶଳ । ଆଜି ସକାଳ ୧୦ଟା୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚ ଠାରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହରସାଲ ଏୟାର ସୋ ଅନୁଷ୍ଠିତ ହୋଇଥିଲା । ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ଭଳିକି ଭଳି କଳାକୌଶଳ ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର କମିଟି ସଦସ୍ୟ ଓ କର୍ମକର୍ତା, ସେବାୟତ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଛାସେବୀ, ଏନସିସି କ୍ୟାଡେଟ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ମାନେ ଯୋଗ ଦେଇ ଏୟାର ସୋ ଉପଭୋଗ କରିଥିଲେ ।
