ଅନ୍ତଃଜିଲା ୪ ଲୁଟେରା ଗିରଫ : ଲକ୍ଷାଧିକ ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଜବତ
କଳାହାଣ୍ଡି : ଧର୍ମଗଡ ପୋଲିସକୁ ବଡ ସଫଳତା । ରାଜ୍ୟର ବିଭିନ୍ନ ଅଂଚଳରେ ରାହଜାନୀ କରୁଥିବା ୪ ଅନ୍ତଃଜିଲା ଲୁଟେରା ଗିରଫ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୩୩ ହଜାର ଟଙ୍କା ଓ ୨ଟି ମଟର ସାଇକେଲ, ୩ଟି ମୋବାଇଲ ଫୋନ୍, ପାସ୍ ବୁକ, ପାନ କାର୍ଡ ଓ ଆଧାର କାର୍ଡ ଜବତ ହୋଇଛି । ଗିରଫ ୪ ଜଣ ଡକାୟତ ଗଞ୍ଜାମ ଜିଲାର ହୋଇଥିବା ବେଳେ ଲୁଟେରା ମାନେ ହେଲେ ରଞ୍ଜିତ ରାଓ(୩୭), ଡ଼ି ଆକାଶ (୨୭), ଜେ ଚନ୍ଦୁ (୧୮) ଏବଂ କଳାଷଣ୍ଢପୁରର ଏମ ଗଣେଶ(୨୫)। ଏନେଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଯେ, ଗତ ୧୩ ତାରିଖ ଦିନ ଧର୍ମଗଡ ଥାନା ଆମ୍ବଗୁଡା ଗ୍ରାମର ଉଦ୍ଧବ ସୁନାନୀ ବ୍ୟାଙ୍କରୁ ୧ଲକ୍ଷ ୯ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ସେ ଏହି ଟଙ୍କାକୁ କପଡ଼ା ବ୍ୟାଗରେ ଧରି ବ୍ୟାଙ୍କରୁ ଆସୁଥିବା ବେଳେ ଏକ ବାଇକ୍ରେ ୩ଜଣ ଲୁଟେରା ଆସି ତାଙ୍କ ପାଖକୁ ପହଂଚିଥିଲେ। ଲୁଟେରାମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଦ୍ରୁତଗତିରେ ଫେରାର ହୋଇ ଯାଇଥିଲେ। ଧର୍ମଗଡ଼ ପୁଲିସ ଏହି ଘଟଣା ବିଷୟରେ ଅଞ୍ଚଳର ବିଭିନ୍ନ ଥାନାକୁ ସୂଚନା ଦେବା ସହିତ ବ୍ଳକିଙ୍ଗ କରି ଯାଞ୍ଚ ମଧ୍ୟ କରିଥିଲେ। କିନ୍ତୁ ଲୁଟେରା ଧରାପଡ଼ି ନଥିଲେ। ଅନୁସନ୍ଧାନ ସମୟରେ ପୁଲିସ ଜାଣିବାକୁ ପାଇଲା ଯେ, ଏହି ଲୁଟେରା ମାନେ ଭବାନୀପାଟଣା ଇରିଗେସନ କଲୋନିରେ ଏକ ଭଡ଼ା ଘରେ ରହି ବିଭିନ୍ନ ଅଞ୍ଚଳରେ ଲୁଟ କରୁଥିଲେ। ସେହିପରି ଗତ ଜୁଲାଇ ୩୦ ତାରିଖ ଦିନ ମଧ୍ୟ ଜଣେ ବ୍ୟକ୍ତି ୨୪ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ବାଇକ୍ ଡିକିରେ ରଖିଥିଲେ। ଏହି ଘଟଣାକୁ ଆଗରୁ ନିରୀକ୍ଷଣ କରୁ ଥିବା ଦୁଇ ଜଣ ଲୁଟେରା ମୁଖ୍ୟ ରାସ୍ତାରେ ଥିବା ବାଇକ୍ ଡିକି ଭାଙ୍ଗି ଲୁଟ କରି ଚମ୍ପଟ ମାରିଥିଲେ। ଏହି ଘଟଣା ଏକ ଦୋକାନର ସିସିଟିଭିରେ ମଧ୍ୟ କଏଦ ହୋଇଥିଲା। ଧର୍ମଗଡ ଥାନାର ଏହି ଦୁଇଟି ମାମଲାରେ ଲୁଟେରା ମାନେ ୧ଲକ୍ଷ ୩୩ ହଜାର ଟଙ୍କା ଲୁଟ କରିଥିଲେ।
