ରିସ୍କ ଉଠାଇବା ପରିବର୍ତ୍ତେ ଇନିଂସ ସମ୍ଭାଳିବା ଉଚିତ୍ ! ରୋହିତଙ୍କୁ ପରାମର୍ଶ ଦେଲେ ପିଲା ବେଳର ପ୍ରଶିକ୍ଷକ
ନୂଆଦିଲ୍ଲୀ : ବାରମ୍ବାର ମ୍ୟାଚରେ ଫ୍ଲପ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ଏହାକୁ ନେଇ ତାଙ୍କ ପିଲା ବେଳର ପ୍ରଶିକ୍ଷକ ଦିନେଶ ଲାଡ୍ ଖୁସି ନାହାନ୍ତି । ଏଥିସହିତ ତାଙ୍କୁ ସେ କିଛି ପରାମର୍ଶ ଦେଇଛନ୍ତି । ତାଙ୍କ କହିବା କଥା ଭାରତୀୟ ଅଧିନାୟକଙ୍କୁ ରିସ୍କ ଉଠାଇବା ପରିବର୍ତ୍ତେ ଇନିଂସ ସମ୍ଭାଳିବା ଉଚିତ୍। ରୋହିତ ଶର୍ମା କ୍ରିଜରେ ଅଧିକ ସମୟ ବିତାଇବା ଉଚିତ୍।
ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଦିନେଶ ଲାଡ୍ କହିଛନ୍ତି, ଗତ କିଛି ସମୟ ହେବ ରୋହିତ ରିସ୍କ ସଟ୍ ଖେଳୁଛନ୍ତି, ଯାହା ତାଙ୍କ ପକ୍ଷେ ଉଚିତ୍ ନୁହେଁ। ମୋତେ ଜଣା ନାହିଁ, ସେ ଏମିତି କାହିଁକି କରୁଛନ୍ତି। କେବଳ ଆକ୍ରମଣାତ୍ମକ ଖେଳ ଦେଖାଇ ସେ ଭୁଲ୍ କରୁଛନ୍ତି। ସେହିପରି ରୋହିତଙ୍କୁ କ୍ରିଜ୍ରେ ଅଧିକ ସମୟ ବିତାଇବା ଉଚିତ୍ ଏବଂ ନିଜ ଓ୍ଵିକେଟ୍ ସହଳ ହରାଇବା ଠିକ୍ ନୁହେଁ। ମୁଁ ଚାହେଁନି ଯେ, ସେ ପାଓ୍ଵାର ପ୍ଲେର ପ୍ରଥମ ଛଅ ଓଭରରେ ରିକ୍ସ ଉଠାନ୍ତୁ। ତାଙ୍କୁ ସାଧାରଣ ଏବଂ ସ୍ଵାଭାବିକ କ୍ରିକେଟ୍ ଖେଳିବା ଉଚିତ୍। ତାଙ୍କୁ ୧୭-୧୮ ଓଭର ଖେଳି ୭୦ରୁ ୮୦ ରନ କରିବା ଉଚିତ୍ ବୋଲି ରୋହିତଙ୍କ ପିଲା ବେଳର ପ୍ରଶିକ୍ଷକ କହିଛନ୍ତି।
ତାଙ୍କ ପ୍ରଶିକ୍ଷକ ହୋଇଥିବାରୁ ମୁଁ ରୋହିତଙ୍କୁ ଇନିଂସର ସୂତ୍ରଧର ଭାବେ ଦେଖିବାକୁ ଚାହେଁ। ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ନୁହେଁ। ସେ ଯଦି କିଛି ସମୟ ଓ୍ଵିକେଟ୍ରେ ଜମିବେ ତେବେ ଲମ୍ବା ଏବଂ ଉପଯୋଗୀ ଇନିଂସ ଖେଳି ପାରିବେ। ସେ ବହୁତ ସଟ୍ ଉପରକୁ ଖେଳୁଛନ୍ତି ଯାହା ଟି-୨୦ କ୍ରିକେଟ୍ ପାଇଁ ଜରୁରୀ ହୋଇଥାଏ। ମାତ୍ର ତାଙ୍କୁ ନିୟନ୍ତ୍ରିତ ଭାବେ ଆକ୍ରମଣାତ୍ମକ ଖେଳ ଖେଳିବା ଉଚିତ୍ ବୋଲି ଦିନେଶ ଲାଡ୍ କହିଛନ୍ତି।
