ଗର୍ଭବତୀ ମହିଳାଙ୍କୁ ଅମାନୁଷିକ ମାଡ଼, ଥାନାରେ ୩ ଅଟକ
ନୀଳଗିରି : ନୀଳଗିରି ଥାନା ଅଧୀନସ୍ତ ମିତ୍ରପୁର ଚତ୍ରିଖୁଣ୍ଟା ଗ୍ରାମରେ ସଂଘବଦ୍ଧ ଆକ୍ରମଣ । ବାଦ୍ ପଡ଼ିଲେନି ଗର୍ଭବତୀ ମହିଳା । ମହିଳାଙ୍କ ଚୁଳ ଧରି ରାସ୍ତାରେ ଘୋଷାରି ନେବା ସହ ଅମାନୁଷିକ ଭାବେ ବିଧା ଗୋଇଠା ମାଡ଼ । ନୀଳଗିରି ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଯେ, ଚତ୍ରିଖୁଣ୍ଟା ଗ୍ରାମର ଶମ୍ଭୁ ସିଂଙ୍କ ଝିଅର ଏକୋଇଶିଆ କାର୍ଯ୍ୟକ୍ରମ ଗତ ବୁଧବାର ଚାଲିଥିବା ବେଳେ ପାଖ ପଡ଼ୋଶୀ ତଥା ବନ୍ଧୁବାନ୍ଧବମାନେ ଘରକୁ ଆସିଥିଲେ । ନିଶାରେ ସମସ୍ତେ ନାଚଗୀତରେ ମାତିଥିବା ବେଳେ ଉକ୍ତ ଗ୍ରାମର ନକୁଳ ସିଂ ମଧ୍ୟ ଏଥିରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନିଜ ନିଜ ଘରକୁ ଯାଇଥିବା ବେଳେ ନକୁଳ ମଧ୍ୟ ଘରକୁ ଯାଇଥିଲେ । ପଛରେ ଉକ୍ତ ଗ୍ରାମର ଫାଦୁଆ ସିଂ ଯାଇ ନକୁଳଙ୍କ ଘରେ ପାଟିତୁଣ୍ଡ କରିଥିଲେ । ପରେ ଗୁରୁବାର ସକାଳେ ଉଭୟପକ୍ଷଙ୍କ ଘଟଣାକୁ ନେଇ ସରପଞ୍ଚ ଓ ୱାର୍ଡ଼ମେମ୍ବରଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରିବାକୁ ବସିଥିବା ବେଳେ କୌଣସି ସମାଧାନ ହୋଇ ପାରି ନ ଥିଲା । ଦିନ ପ୍ରାୟ ୧୨ଟା ସମୟରେ ନକୁଳ ତାର ଭାଇ ଯୁଧିଷ୍ଠିର ସିଂ, ଯୁଧିଷ୍ଠିରର ୮ମାସର ଗର୍ଭବତୀ ସ୍ତ୍ରୀ ସଂଯୁକ୍ତା ସିଂ ଖାଇବାକୁ ବସିଥିବା ବେଳେ ହଠାତ୍ ହାତରେ ଠେଙ୍ଗା ଓ ବାଡ଼ି ଧରି ଭାଦୁଆ ସିଂ, କୁଞ୍ଜ ସିଂ, ରାଜୁ ସିଂ ଓ ସନିଆ ସିଂ ନକୁଳ ଓ ଯୁଧିଷ୍ଠିରକୁ ବାଡ଼େଇଥିଲେ । ଯୁଧିଷ୍ଠିରର ସ୍ତ୍ରୀ ସଂଯୁକ୍ତା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ବିଧା ଗୋଇଠା ସହ ଚୁଳ ଧରି ରାସ୍ତାରେ ଘୋଷାରି ଘୋଷାରି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ବାହାରିିବାରୁ ସମସ୍ତେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଖବର ପାଇ ନୀଳଗିରି ଥାନାର ଏଏସ୍ଆଇ ଅନନ୍ତ ମୁର୍ମୁ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲ ପଠାଇଥିଲେ । ଏ ନେଇ ସଂଯୁକ୍ତା ସିଂର ସ୍ୱାମୀ ଯୁଧିଷ୍ଠିର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ଫଳରେ ନୀଳଗିରି ପୋଲିସ ୩ଜଣକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବାର ଜଣାପଡ଼ିଛି ।
