ଆରବ ସାଗରରେ ସମାପିତ ହେଲା ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ ‘ବରୁଣ’
ନୂଆଦିଲ୍ଲୀ : ଆରବ ସାଗରରେ ସମାପିତ ହେଲା ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ ‘ବରୁଣ’। ଦୁଇ ପର୍ଯ୍ୟାୟରେ ଏହି ଅଭ୍ୟାସ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମଇ ମାସରେ କରାଯିବା ନେଇ ସ୍ଥିର କରାଯାଇଛି।
ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାର ଗୋଆ ଉପକୂଳରେ ଉଭୟ ନୌସେନା ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଆଧୁନିକ ଆଣ୍ଟି-ସବମେରାଇନ ଓ ଏୟାର ଡିଫେନ୍ସ ସିଷ୍ଟମର ବ୍ୟବହାର ମଧ୍ୟ କରାଯାଇଛି। ଉଭୟ ନୌସେନା ମଧ୍ୟରେ ପାରସ୍ପରିକ ଜ୍ଞାନକୌଶଳ ଓ ସମନ୍ବୟର ଆଦାନପ୍ରଦାନ ଏହି ମିଳିତ ଅଭ୍ୟାସର ଏକ ବଡ ଉଦ୍ଦେଶ୍ୟ ବୋଲି ନୌସେନା କହିଛି।
ଚଳିତ ଅଭ୍ୟାସରେ ଭାରତୀୟ ନୌସେନାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଡେଷ୍ଟ୍ରୟର ବର୍ଗର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇ ସମେତ ଏମ୍କେ-୪୨ବି ହେଲିକାପ୍ଟର, ମିଗ୍-୨୯ ଲଢୁଆ ବିମାନ ଓ ପାଟ୍ରୋଲିଂ ଏୟାରକ୍ରାଫ୍ଟ ପ୍ରମୁଖକୁ ସାମିଲ କରାଯାଇଥିଲା। ସେହିପରି ଫ୍ରାନ୍ସ ନୌସେନା ପକ୍ଷରୁ ଫ୍ରିଗ୍ରେଟ ଶ୍ରେଣୀର ଲଢୁଆ ଯୁଦ୍ଧ ବିମାନ, ସବମେରାଇନ ସପୋର୍ଟ ଭାସେଲ ଓ ଅତ୍ୟାଧୁନିକ ଲଢୁଆ ବିମାନ ମଧ୍ୟ ସାମିଲ ହୋଇଥିଲେ। ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ନୂତନ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗ ଓ ଅତ୍ଯାଧୁନିକ ଭାବେ ତାର ମୁକାବିଲା ରଣନୀତିକୁ ପ୍ରଭାବୀ ଭାବେ କାର୍ଯ୍ୟ କରିବା ପାଇଁ ଦୁଇପକ୍ଷ ମଧ୍ୟରେ ଉତ୍ତମ ସମନ୍ବୟ ଓ ରଣନୀତିକ ଭାଗିଦାରୀ ଏହି ମିଳିତ ଅଭ୍ୟାସର ମୂଳ ଉଦ୍ଦେଶ୍ୟ ବୋଲି ନୌସେନା କହିଛି। ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଚଳିତ ବର୍ଷ ମଇ ମାସରେ ଏହି ଅଭ୍ୟାସର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।
