ଭାରତ-ଚୀନ ଆଲୋଚନା ଶେଷ : ଦେପସାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ରାଜି
ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାନ୍ତ ଅଚଳାବସ୍ଥା ସମାଧାନ ନିମନ୍ତେ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ଶେଷ ହୋଇଛି। ‘ୱାର୍କିଙ୍ଗ୍ ମେକାନିଜମ୍ ଫର୍ କନ୍ସଲ୍ଟେସନ୍ ଆଣ୍ଡ୍ କୋଅର୍ଡିନେସନ୍ ଅନ୍ ଇଣ୍ଡିଆ-ଚାଇନା ବର୍ଡର୍ ଆଫେୟାର୍ସ’ (ଡବ୍ଲୁଏମ୍ସିସି) ଅଧୀନରେ ଉପରୋକ୍ତ ଆଲୋଚନା ହୋଇଥିଲା। ଦ୍ବିପାକ୍ଷିକ ରାଜିନାମାକୁ ସମ୍ମାନ ଜଣାଇବାକୁ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ସେହିପରି ଖୁବଶୀଘ୍ର ୧୪ ତମ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେପସାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
ବାସ୍ତବ ନିୟନ୍ତ୍ରଣ ରେଖାର ପୂର୍ବାଞ୍ଚଳ ସେକ୍ଟର୍ ଅନ୍ତର୍ଗତ ‘ତିବ୍ବତ ସ୍ବୟଂଶାସିତ ଅଞ୍ଚଳ’ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟସ୍ଥ ବିବାଦୀୟ ଅଞ୍ଚଳରେ ଚୀନ୍ ବିଶାଳ ଗ୍ରାମ ସ୍ଥାପନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ପ୍ରକାଶ ପାଇବା ପରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ହୋଇଥିଲା। ସମ୍ପ୍ରତି ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ଦୁଇ ଦେଶର ପ୍ରାୟ ୬୦ ହଜାର ସୈନିକ ଉପସ୍ଥିତ ଅଛନ୍ତି। ହଜାର ହଜାର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରି ଉଭୟ ଦେଶ ଧୀରେ ଧୀରେ ସେମାନଙ୍କର ସୈନ୍ୟ ମୁତୟନ ସଂଖ୍ୟା ବୃଦ୍ଧି କରିଛନ୍ତି। ସେହିପରି ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି ।
