ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ଭାରତର ତୃତୀୟ ସର୍ବନିମ୍ନ ସ୍କୋର : ଜିତିବା ପାଇଁ ୮୨ ରନର ଟାର୍ଗେଟ୍
କଲୋମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଛି । ଏଥିରେ ଟସ ଜିତି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ସିଂହଳି ବୋଲରଙ୍କ ମୁକାବିଲା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ବିନିମୟରେ ମାତ୍ର ୮୧ ରନ କରିବାକୁ ସକ୍ଷମ ହୋଇଛି ଭାରତ । ଆଗ ଧାଡିର ୪ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି। କୁଲଦୀପ ଯାଦବ ସର୍ବାଧିକ ୨୩ ରନ ଅପରାଜିତ ଇନିଂସ ଖେଳିଛନ୍ତି। ଓ୍ଵାସିରିଜ୍ ଜିତିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ ୮୨ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ଭାରତର ତୃତୀୟ ସର୍ବନିମ୍ନ ଟି-୨୦ ସ୍କୋର।
ପ୍ରମୁଖ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଗତ ମ୍ୟାଚ୍ର ଚାପରୁ ମୁକୁଳି ପାରିନଥିଲେ। ଆରମ୍ଭରୁ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ଶିଖର ଧାଓ୍ଵନ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଜଣେ ପରେ ଜଣେ ବ୍ୟାଟସମ୍ୟାନ ହାଜିରା ପକାଇ ପାଭିଲିୟନ ଫେରିଥିଲେ। ଦଳର ବ୍ୟାଟିଂ ଏତେ ଦୟନୀୟ ଥିଲା ଯେ, କେବଳ ୩ ଜଣ ଖେଳାଳିଙ୍କୁ ବାଦ୍ ଦେଲେ ପ୍ରମୁଖ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଋତୁରାଜ ଗାଏକଓ୍ଵାର୍ଡ(୧୪), ଭୁବନେଶ୍ଵର କୁମାର(୧୬) ଓ ରନ କରିଥିଲେ। ଶିଖର ଧାଓ୍ଵନ(୦), ଦେବଦତ୍ତ ପାଡିକଲ(୯), ସଞ୍ଜୁ ସାମସନ(୦) ଓ ନୀତୀଶ ରାଣା(୬) ବିଫଳ ହୋଇ ଦଳକୁ ନିରାଶ କରିଥିଲେ। ଏଥିସହ ମିଳିଥିବା ସୁବର୍ଣ୍ଣ ସୁଯୋଗର ମଧ୍ୟ ଫାଇଦା ଉଠାଇ ପାରିନ ନଥିଲେ ଏହି ସବୁ ବ୍ୟାଟସମ୍ୟାନ। କୁଲଦୀପ ଯାଦବଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରି ପାରିନଥିଲେ। ଶେଷରେ ଭାରତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୮୧ ରନ କରିଛି। କୁଲଦୀପ ଯାଦବ ୨୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଚେତନ ସକାରିଆ ୫ ରନରେ ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ନିଜର ଜନ୍ମଦିନରେ ସ୍ମରଣୀୟ ବୋଲିଂ କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ସେ ୪ ଓଭରରେ ମାତ୍ର ୯ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ସେ ଋତୁରାଜ ଗାଏକଓ୍ଵାର୍ଡ(୧୪), ସଞ୍ଜୁ ସାମସନ(୦), ଭୁବନେଶ୍ଵର କୁମାର(୧୬) ଓ ବରୁଣ ଚକ୍ରବର୍ତ୍ତୀ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ଶ୍ରୀଲଙ୍କା ପକ୍ଷରୁ ହସରାଙ୍ଗା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶନାକା ୨ଟି, ରମେଶ ମେଣ୍ଡିସ ଓ ଚାମୀରା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
