ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ, ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ
ପୋର୍ଟ ଅଫ୍ ସ୍ପେନ୍ : ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ । ପୋର୍ଟ ଅଫ ସ୍ପେନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ରହିଛି । ଶେଷ ଦିନରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ ପଡ଼ିପାରିନଥିଲା । ଫଳରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିନା ହାରଜିତରେ ଶେଷ ହୋଇଛି । ୩୬୫ ରନକୁ ପିଛା କରି ଶେଷ ଦିନରେ ଓ୍ୱେଷ୍ଟଇଣ୍ଡିଜକୁ ଜିତିବାକୁ ୨୮୯ ରନ ଆବଶ୍ୟକ ହେଉଥିଲା । ଭାରତକୁ ଦରକାର ଥିଲା ୮ଟି ଓ୍ଵିକେଟ । ମ୍ୟାଚ ଡ୍ର ରହିଥିଲେ ବି ପ୍ରଥମ ମ୍ୟାଚରେ ଭାରତ ଜିତିଥିବାରୁ ରୋହିତ ଶର୍ମାଙ୍କ ଦଳ ସିରିଜ ବିଜେତା ହୋଇଛି । ଓ୍ୱେଷ୍ଟଇଣ୍ଡିଜ୍ ମାଟିରେ ଏହା ଭାରତର ଲଗାତର ଭାବେ ପଞ୍ଚମ ଟେଷ୍ଟ ସିରିଜ୍ ବିଜୟୀ ।
ପୋର୍ଟ ଅଫ ସ୍ପେନ୍ରେ ପ୍ରବଳ ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ନିର୍ଣ୍ଣାୟକ ଅନ୍ତିମ ଦିବସ ବାତିଲ ହୋଇଯାଇଥିଲା । ଆଜି ସକାଳୁ ବର୍ଷା ଲାଗି ରହିଥିବାରୁ ଆଗୁଆ ମଧ୍ୟାହ୍ନ ବିରତି ଘୋଷଣା କରାଯାଇଥିଲା । ଦ୍ୱିତୀୟ ଭାଗରେ ପାଗ ବଦଳିବ ଓ ଖେଳ ସମ୍ଭବ ହେବ ବୋଲି ଅନୁମାନ କରାଯାଉଥିଲା । ମଝିରେ ବର୍ଷା ଛାଡ଼ି ଖରା ହେବାରୁ ୬୭ ଓଭର ଖେଳ ପାଇଁ ଅମ୍ପାୟର ନିଷ୍ପତ୍ତି ନେଇଥିଲେ । ଦୁଇ ଦଳର ଖେଳାଳିମାନେ ମଧ୍ୟ ଗ୍ରାଉଣ୍ଡକୁ ଓହ୍ଲାଇ ୱାର୍ମ ଅପ୍ କରିଥିଲେ । ମାତ୍ର ବଲ୍ ପଡ଼ିବା ପାଇଁ କିଛି ମାତ୍ର ସମୟ ପୂର୍ବରୁ ପୁଣି ଥରେ ବର୍ଷା ହୋଇଥିଲା । ଶେଷରେ ବାଧ୍ୟ ହୋଇ ପଞ୍ଚମ ଦିନ ଖେଳକୁ ବାତିଲ କରାଯାଇଥିଲା । ଆଉ ୨ ମ୍ୟାଚ୍କୁ ଡ୍ର’ ଘୋଷଣା ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ବିରାଟ କୋହଲିଙ୍କ ୧୨୧ ରନ ସହାୟତାରେ ଭାରତ ପ୍ରଥମ ପାଳିରେ ୪୩୮ ରନ କରିଥିଲା । ସେହିପରି ୨୫୫ ରନରେ ପାଳି ଶେଷ କରିଥିଲା ଇଣ୍ଡିଜ ଦଳ । ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ ହରାଇ ୧୮୧ ରନ କରି ପାଳି ଘୋଷଣା କରିଥିଲା ଟିମ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନ ଭାରତ ଦ୍ରୁତ ୧୦୦ ରନ କରିବା ପରେ ୨୨ ବର୍ଷର ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ ୧୨ ଦଶମିକ ୨ ଓଭର ଅର୍ଥାତ ୭୪ ବଲରେ ୧୦୦ ରନ କରିଥିଲା । ଏଥିସହ ଶ୍ରୀଲଙ୍କା ନାରେ ଥିବା ଦ୍ରୁତ ୧୦୦ ରନର ରେକର୍ଡକୁ ଭାଙ୍ଗିଛି ।
