ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ରେ ଖେଳିବ ଭାରତ
- ଓହରିଗଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ
ଲାଓସାନେ: ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ ତୃତୀୟ ସଂସ୍କରଣରେ ଭାରତକୁ ଖେଳିବାର ସୁଯୋଗ ମିଳିଛି । ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନ ଖେଳିବାର ସୁଯୋଗ ପାଇଛନ୍ତି । ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ର ତୃତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୩ରୁ ଅଲିମ୍ପିକ୍ସ ତଥା ବିଶ୍ୱ ଚାମ୍ପିୟନ ନେଦରଲାଣ୍ଡ୍ସ ଓ ବେଲଜିୟମ ମ୍ୟାଚରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନକୁ ସାମିଲ କରାଯାଇଛି ବୋଲି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି । ଗତ ସପ୍ତାହରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ କରୋନା ମହାମାରୀ ପାଇଁ କନିଷ୍ଠ ପୁରୁଷ ହକି ବିଶ୍ୱକପ ଓ ଏଫ୍ଆଇଏଚ୍ ହକି ଇନଡୋର ବିଶ୍ୱକପରୁ ଓହରି ଯାଇଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କାର୍ଯ୍ୟସୂଚୀ ଭେନ୍ୟୁ ଓ ତାରିଖ ଅନୁଯାୟୀ ଭାରତ ଓ ସ୍ପେନ ଖେଳିବ । ଏଥିପାଇଁ ଖେଳାଳି ମନୋନୟନକୁ ତୁରନ୍ତ କରିବା ନେଇ ଏଫଆଇଏଚ୍ ପକ୍ଷରୁ ଦୁଇ ଦେଶ ହକି ମହାସଂଘକୁ ନିର୍ଦେଶ ଦିଆଯାଇଛି । ଉଭୟ ଭାରତ ଓ ସ୍ପେନ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିଲେ । ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଥେରି ୱେଲି କହିଛନ୍ତି ଯେ, ସ୍ପେନ ଓ ଭାରତକୁ ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ ପାଇଁ ଆମେ ସ୍ୱାଗତ କରୁଛୁ । ଉଭୟ ଦଳ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ହକି ଖେଳିଥିଲେ । ଏଥିପାଇଁ ହକି ଇଣ୍ଡିଆ ଓ ରୟାଲ ସ୍ପେନ ହକିକୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ ବୋଲି ୱେଲି କହିଛନ୍ତି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଗୋମବାମ୍ କହିଛନ୍ତି ଯେ, ଏଫ୍ଆଇଏଚ୍ ମହିଳା ପ୍ରୋ-ଲିଗ୍ ହକିରେ ଦେଶ ଅଂଶଗ୍ରହଣ କରିବା ବହୁତ ବଡ ଉପଲବ୍ଧି । ବିଶ୍ୱସ୍ତରୀୟ ଦଳ ଗୁଡ଼ିକ ସହିତ ଖେଳିବାର ସୁଯୋଗ ମିଳିବ । ୨୦୨୨ ଏସୀୟ କ୍ରୀଡ଼ା ପାଇଁ ଉକ୍ତ ପ୍ରତିଯୋଗିତା ବେଶ ସହାୟକ ହେବ । ଏସୀୟ କ୍ରୀଡ଼ାରୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ସୁଯୋଗ ରହିଛି । ଏଥିପାଇଁ ଏଫ୍ଆଇଏଚ୍ ମହିଳା ପ୍ରୋ-ଲିଗ୍ ହକି ପ୍ରସ୍ତୁତିରେ ସହାୟକ ହେବ ବୋଲି ଜ୍ଞାନେନ୍ଦ୍ରୋ କହିଛନ୍ତି ।
