ଗୋଟିଏ ମ୍ୟାଚ୍ ଜିତିଲେ ଡବ୍ଲୁଟିସି ଫାଇନାଲରେ ସିଧା ପ୍ରବେଶ କରିବ ଭାରତ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ବଢ଼ିଲା ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ (ଡବ୍ଲୁଟିସି) ଫାଇନାଲ ଆଶା। ଅଷ୍ଟ୍ରେଲିଆ ବିରୋଧରେ ଚାଲୁଥିବା ବର୍ଡର ଗାଭାସ୍କର ଟ୍ରଫିରେ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଅନ୍ୟପଟେ ୨ଟି ମ୍ୟାଚ ହାରିଥିଲେ ମଧ୍ୟ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଉପରେ କୌଣସି ଖାସ୍ ପ୍ରଭାବ ପଡ଼ିନାହିଁ । ଟେବୁଲର ଶୀର୍ଷରେ ରହିଛି କଙ୍ଗାରୁ ଦଳ । ମାତ୍ର ପଏଣ୍ଟରେ ରହିଛି ଅଳ୍ପ କିଛି ଅନ୍ତର । ଆଗକୁ ଖେଳାଯିବାକୁ ଥିବା ସିରିଜର ଅନ୍ୟ ୨ଟି ଟେଷ୍ଟ ମ୍ୟାଚରୁ ଗୋଟିଏରେ ବିଜୟୀ ହେଲେ ଭାରତ ଡବ୍ଲୁଟିସି ଫାଇନାଲକୁ ସିଧା କ୍ବାଲିଫାଏ କରିବ । ଅନ୍ୟପେଟ ଅଷ୍ଟ୍ରେଲିଆ ଟିମ୍ ଯଦି ୨ଟି ମ୍ୟାଚରେ ହାରି ଯାଏ ଏବଂ ଶ୍ରୀଲଙ୍କା ୨ଟି ମ୍ୟାଚ ଜିତିଲେ, ଡବ୍ଲୁଟିସି ଫାଇନାଲ ରେସରୁ ଅଷ୍ଟ୍ରେଲିଆ ମଧ୍ୟ ବାହାରିଯିବ ।
ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୬ଟି ମ୍ୟାଚରୁ ୭୦.୮୩ ପଏଣ୍ଟ ପାଇଥିଲା । ଏଥିରୁ ୧୦ଟି ବିଜୟ ମିଳିଥିଲେ ମଧ୍ୟ ଲଗାତାର ଦୁଇଟି ହାରି ୬୬.୬୭ ପଏଣ୍ଟକୁ ଖସି ଆସିଛି । ସେପଟେ ଭାରତୀୟ ଟିମ୍ ଦ୍ବିତୀୟ ଏହି ଟେଷ୍ଟ ପୂର୍ବରୁ ୬୧.୬୭ ପଏଣ୍ଟ ଥିଲା । ୨ଟି ଟେଷ୍ଟ ଜିତିବା ପରେ ଏହା ବଢି ୬୪.୦୬ ଅଙ୍କରେ ପହଞ୍ଚିଛି । ମୋଟ୍ ୧୬ଟି ମ୍ୟାଚରୁ ଭାରତକୁ ୧୦ଟି ବିଜୟ ମିଳିଥିବା ବେଳେ ୪ଟି ପରାଜୟ ସାମ୍ନା କରିବାକୁ ପଡ଼ିଛି । ସେହିପରି ଅଷ୍ଟ୍ରେଲିଆ ଦଳ ଆଗକୁ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ହାରିଲେ ପଏଣ୍ଟ ହ୍ରାସ ପାଇ ୫୯.୬୫ ପ୍ରତିଶତ ଅଙ୍କରେ ପହଞ୍ଚିବ ଏବଂ ୫୩.୩୩ ଅଙ୍କ ପାଇ ତୃତୀୟ ସ୍ଥାନରେ ରହିଥିବା ଶ୍ରୀଲଙ୍କା ପାଇଁ ଡବ୍ଲଟିସି ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ଶ୍ରୀଲଙ୍କା ସିରିଜର ଅନ୍ତିମ ଟେଷ୍ଟ ଘରୋଇ ମାଟି ନ୍ୟୁଜିଲାଣ୍ଡ ସହିତ ଖେଳିବ । ଦଳ ୨ଟି ମ୍ୟାଚରେ ବିଜୟୀ ହେଲେ ୬୧.୧୧ ପଏଣ୍ଟ ସହିତ ଫାଇନାଲରେ ପ୍ରବେଶ କରିବ ।
