୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ
ନୂଆଦିଲ୍ଲୀ : ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତର ଅଂଶଗ୍ରହଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ଠାକୁର କହିଛନ୍ତି ଯେ, ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ରକୁ ବିଧିବଦ୍ଧ ଭାବେ ସମ୍ମାନିତ କରାଯିବାର ପରମ୍ପରା ଆରମ୍ଭ ହୋଇଛି । ପରବର୍ତୀ ସଂସ୍କରଣଗୁଡ଼ିକରେ ଭିନ୍ନ ଭିନ୍ନ ରାଷ୍ଟ୍ରକୁ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ କରାଯିବ । ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ, ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ଗସ୍ତରେ ଯାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କୁ ସାକ୍ଷାତ କରିବେ । ଏହି ପରିପ୍ରେକ୍ଷୀରେ ଭାରତକୁ ସମ୍ମାନିତ ସଦସ୍ୟ ଭାବେ ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
ଶ୍ରୀ ଠାକୁର କହିଛନ୍ତି ଯେ, ମାଜେଷ୍ଟିକ୍ ବିଚ୍ରେ ଅନୁଷ୍ଠିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ସମ୍ମାନିତ ସଦସ୍ୟ ଭାବେ ଭାରତ ସାମିଲ ହେବାକୁ ଯାଉଥିବାରୁ ଏହି ଅବସରରେ ଭାରତୀୟ ଚଳଚ୍ଚିତ୍ର, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବା ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଉପଲକ୍ଷେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକଗୀତ ଏବଂ ଆତସବାଜି ପ୍ରଦର୍ଶିତ ହେବ । ଭାରତ ଏବଂ ଫ୍ରାନ୍ସ ବ୍ୟଞ୍ଜନ ମଧ୍ୟ ଏହି ଅବସରରେ ପରିବେଷଣ କରାଯିବ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ କାନ୍ସ ନେକ୍ସଟ କାର୍ଯ୍ୟକ୍ରମରେ ମଧ୍ୟ ଭାରତ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ ହେବ । ଏହା ଅଧୀନରେ ଅଡିଓ-ଭିଜୁଆଲ ଉଦ୍ୟୋଗର ୫ଟି ନୂଆ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ । ଆନିମେସନ ଡେ ନେଟୱାର୍କରେ ଦଶଜଣ ପେସାଦାର ଅଂଶଗ୍ରହଣ କରିବେ । ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆର. ମାଧବନଙ୍କ ପ୍ରଯୋଜିତ ‘ରକେଟ୍ରି’ର ୱାର୍ଲ୍ଡ ପ୍ରିମିୟର ଅନୁଷ୍ଠିତ ହେବ । ୧୯ ମେ ୨୦୨୨ରେ ଏହି ଚଳଚ୍ଚିତ୍ରକୁ ପାଲାଏସ ଡେସ୍ ମହୋତ୍ସବରେ ପ୍ରଦର୍ଶିତ କରାଯିବ । “ଗୋଜ୍ କାନ୍ସ’’ ବର୍ଗରେ ୫ଟି ଭାରତୀୟ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି । ଏହି ଚଳଚ୍ଚିତ୍ରଗୁଡ଼ିକ ହେଲା –ଅହମୀୟା, ମୋରନର ବାଘାଜାନ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଜାଇଚେଙ୍ଗ ଜାଇ ଦୋହୁତିଆ । ସେହିପରି ହିନ୍ଦୀ ଓ ଛତିଶଗଡ଼ୀ ଭାଷାରେ ଶୈଳେନ୍ଦ୍ର ସାହୁଙ୍କ ବାଇଲାଦିଲା; ହିନ୍ଦୀରେ ଏକତାରା କଲେକ୍ଟିଭ୍ ପ୍ରସ୍ତୁତ ଏକ ଜଗାହ ଅପନୀ; ହିନ୍ଦୀ, ମରାଠୀ ଓ କନ୍ନଡ଼ ଭାଷାରେ ନିର୍ମିତ ହର୍ଷଦ ନାଲାୱାଡ଼େଙ୍କ ଫଲୋଅର, କନ୍ନଡ଼ ଭାଷାରେ ନିର୍ମିତ ଜୟ ଶଙ୍କରଙ୍କ ଶିବାମ୍ମା । ମୁକ୍ତିଲାଭ କରିନଥିବା ଭାରତୀୟ ଚଳଚ୍ଚିତ୍ରର ସ୍କ୍ରିନିଂ ପାଇଁ ୨୨ ମେ ୨୦୨୨ରେ ଅଲିମ୍ପିଆ ସ୍କ୍ରିନ ନାମ ଏକ ସିନେମା ହଲ ସ୍ୱତନ୍ତ୍ର ଭାବେ କେବଳ ଭାରତ ପାଇଁ ବ୍ୟବସ୍ଥା କରାଯାଇଛି । ସିନେମା ଡି ଲା ପ୍ଲେଗ୍ ଠାରେ କାନ୍ସ କ୍ଲାସିକ ବର୍ଗରେ ସତ୍ୟଜିତ ରାୟଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ପ୍ରତିଦ୍ୱନ୍ଦ୍ୱୀ’ର ସ୍କ୍ରିନିଂ କରାଯିବ । ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ମୁଖ୍ୟ ମଂଚରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ଇଣ୍ଡିଆ ଫୋରମ୍ ନାମକ ଏକ ଘଂଟିଆ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ମନୋରଞ୍ଜନ ଜଗତର ନେତୃବର୍ଗ ଅଂଶଗ୍ରହଣ କରିବେ । “ଭାରତ ବିଶ୍ୱର ବିଷୟବସ୍ତୁ କେନ୍ଦ୍ର (କେଂଟଂଟ ହବ୍)” ବିଷୟବସ୍ତକୁ ନେଇ ଏହି ଅବସରରେ ଆଲୋଚନା ହେବ । ଇଣ୍ଡିଆ ଫୋରମରେ ବହୁସଂଖ୍ୟାରେ ଅତିଥିମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ଅନଲାଇନରେ ପ୍ରସାରଣ କରାଯିବ । ଇଣ୍ଡିଆ ପାଭିଲିୟନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଛନ୍ତି ଯେ, “ଭାରତକୁ ବିଶ୍ୱର ବିଷୟବସ୍ତୁ କେନ୍ଦ୍ର”ରେ ପରିଣତ କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଏଥିରେ ପ୍ରଚାର ପ୍ରସାର କରାଯିବ । ୧୮ ମେ, ୨୦୨୨ରେ ଏହି ପାଭିଲିଅନକୁ ଉଦଘାଟନ କରାଯିବ । ଏଥିରେ ଦେଶର ଭାଷାଗତ, ସାଂସ୍କୃତିକ ଓ କ୍ଷେତ୍ରୀୟ ବିବିଧତା ନିର୍ବିଶେଷରେ ଭାରତୀୟ ସିନେମା ପ୍ରଦର୍ଶିତ ହେବ । ଯାହାଫଳରେ ବିଶ୍ୱ ସମୁଦାୟ ନିକଟରେ ଭାରତୀୟ ଚଳଚ୍ଚିତ୍ରର ବାର୍ତା ପହଂଚି ପାରିବ । ଚଳଚ୍ଚିତ୍ର ଶୁଟିଂ, ବିତରଣ, ପ୍ରଯୋଜନା, ସ୍କ୍ରିପ୍ଟ ବିକାଶ, ପ୍ରଯୁକ୍ତି, ଚଳଚ୍ଚିତ୍ର ସେଲ୍ସ ପ୍ରୋତ୍ସାହନ ଓ ସିଣ୍ଡିକେସନ ଆଦି କ୍ଷେତ୍ରରେ ଅନ୍ତର୍ଜାତୀୟ ସହଭାଗିତା ବିକଶିତ ହୋଇପାରିବ ।
