ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ ତାଲିକା ଶୀର୍ଷରେ
ଦୁବାଇ : ଭାରତ ଦଳ ତଥା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ ତାଲିକା ଶୀର୍ଷରେ ରହିଛି ଭାରତ । ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍ ସହ ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ ଆରମ୍ଭ ହୋଇଛି । ଅଦ୍ୟାବଧି ସର୍ବାଧିକ ୧୪ ପଏଣ୍ଟ ସହ ଭାରତ ତାଲିକାର ଶୀର୍ଷରେ ରହିଛି ।
ଘରୋଇ ଇଂଲଣ୍ଡ ବିପକ୍ଷରେ ୨ୟ ଟେଷ୍ଟ ମ୍ୟାଚ୍କୁ ୧୫୧ ରନ୍ରେ ଜିତିବା ପରେ ଭାରତ ଶୀର୍ଷରେ ପହଞ୍ଚିଛି । ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଅମୀମାଂସିତ ଭାବେ ଶେଷହେବା ପରେ ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଥିଲେ । ୨ୟ ଟେଷ୍ଟକୁ ଜିତିବା ଯୋଗୁଁ ଭାରତକୁ ଆଉ ୧୨ ପଏଣ୍ଟ ମିଳିଥିଲା । ହେଲେ ଧିମା ଓଭର ହାର ଯୋଗୁଁ ଭାରତର ୨ ପଏଣ୍ଟ କଟା ଯାଇଥିଲା। ନିର୍ଦ୍ଧାରିତ ସମୟରେ ଭାରତ ୨ ଓଭର କମ୍ ବୋଲିଂ କରିଥିଲା। ଫଳରେ ୧୬ରୁ ଭାରତର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିଛି। ଆଇସିସି ନିୟମ ଅନୁସାରେ ବିଜୟ ପାଇଁ ଏକ ଦଳକୁ ୧୨ ପଏଣ୍ଟ, ଟାଇ ପାଇଁ ୬ ପଏଣ୍ଟ ଓ ଡ୍ର ପାଇଁ ୪ ପଏଣ୍ଟ ମିଳିଥାଏ । ତେବେ ଯେଉଁ ଦଳର ଧିମା ଓଭର ହାର ରହିବ; ପ୍ରତି ଓଭର ପାଇଁ ଏହି ଦଳର ୧ ପଏଣ୍ଟ ଲେଖାଏଁ କାଟି ଦିଆଯିବ । ଭାରତ ପଛକୁ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ରହିଛନ୍ତି । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ଉଭୟ ଦଳ ଶୃଙ୍ଖଳାର ୨ଟି ଟେଷ୍ଟରୁ ଗୋଟିଏ ଲେଖାଏଁ ଜିତିଛନ୍ତି । ୨ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଛି । ଭାରତ ବିପକ୍ଷ ପ୍ରଥମ ମାଚ୍ ଡ୍ର ରଖି ଇଂଲଣ୍ଡ ୪ ପଏଣ୍ଟ ପାଇଥିଲେ ହେଁ ଧିମା ଓହର ହାର ଯୋଗୁଁ ଏହା ୨ ପଏଣ୍ଟ ହରାଇଛି । ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପର ଏହି ସଂସ୍କରଣ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଭାରତକୁ ଫାଇନାଲରେ ପରାସ୍ତକରି ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପର ପ୍ରଥମ ସଂସ୍କରଣ ଜିତିଥିଲା ।
