ଆମେରିକା ଠାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବ ଭାରତ
ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ କେନ୍ଦ୍ର ସରକାର ଆମେରିକାଠାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ସହିତ ଏ ସମ୍ପର୍କରେ ଦୀର୍ଘମାସ ଆଲୋଚନା ସହିତ ଆଭ୍ୟନ୍ତରୀଣ ସ୍ତରରେ ଆଲୋଚନା ପରେ ଭାରତର ପ୍ରତିରକ୍ଷା ବିଭାଗ ଏହି ଏମକ୍ୟୁ-୧ ପ୍ରିଡେଟର ଡ୍ରୋନ କିଣିବାକୁ ସ୍ଥିର କରିଛି। ଏହି ଚାଳକବିହୀନ ବିମାନ କ୍ଷେପଣାସ୍ତ୍ର ବହନ କରିବାକୁ ସମର୍ଥ। ଏହା ଦୀର୍ଘସମୟ ପର୍ଯ୍ୟନ୍ତ ୨୦ ହଜାର ଫୁଟ ଉଚ୍ଚତାରେ ଉଡାଣ କରିପାରିବ ଏବଂ ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୨୦୦ କିଲୋମଟର ରହିଛି। ଏକ ସମୟରେ ଏହା ଦୁଇଟି ହେଲଫାୟାର କ୍ଷେପଣାସ୍ତ୍ର ବହନ କରିପାରିବ। ଏ ବାବଦରେ ଭାରତ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାଯାଇଛି। ଏହା ଦେଶର ସୀମାରେଖାକୁ ସୁରକ୍ଷା ପ୍ରଦାନ କରିବାର ଫଳପ୍ରଦ ହେବ ବୋଲି କୁହାଯାଇଛି।
ଭାରତର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପରିଷଦର ମୁଖ୍ୟ ତଥା ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନି ବାହିନୀର ଉପମୁଖ୍ୟ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏହି ପ୍ରିଡେଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କରିବା ଆଶା କରାଯାଉଛି। ଏହି ୩୦ଟି ଡ୍ରୋନ ମଧ୍ୟରୁ ୧୦ଟି ଡ୍ରୋନରେ ହେଲଫାୟାର କ୍ଷେପଣାସ୍ତ୍ର ଖଞ୍ଜାଯାଇ ତାହାକୁ ତିନି ବାହିନୀକୁ ହସ୍ତାନ୍ତର କରାଯିବ। ସବୁସ୍ତରରୁ ଅନୁମୋଦନ ମିଳିବା ପରେ ତାହା କ୍ରୟ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ନିକଟରେ ଉପସ୍ଥାପନ କରାଯିବ। ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହିତ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକୁ ଲକ୍ଷ୍ୟ ଭେଦ କରିବାରେ ସଫଳ ହେବ ବୋଲି କୁହାଯାଉଛି। ଏଗୁଡିକ ଆମେରିକା ନିକଟରୁ ଖରିଦ କରାଯିବା ପରେ ଭାରତରେ ତାହାର ରକ୍ଷଣାବେକ୍ଷଣ ଓ ମରାମତି ବ୍ୟବସ୍ଥାର ବିକାଶ କରାଯିବ। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରକୁ ଭାରତ ଭଳି ଏକ ଅଣନାଟୋ ରାଷ୍ଟ୍ରକୁ ବିକ୍ରି କରିବାକୁ ଆମେରିକା ରାଜି ହୋଇଛି।
