ଚିନି ଉତ୍ପାଦନ ବ୍ୟବହାରରେ ବିଶ୍ୱରେ ରେକର୍ଡ ରଚିଲା ଭାରତ
ନୂଆଦିଲ୍ଲୀ : ଚିନି ଉତ୍ପାଦନ ବ୍ୟବହାରରେ ବିଶ୍ୱରେ ଏକ ରେକର୍ଡ କରିଛି ଭାରତ। ଏନେଇ ଖାଦ୍ୟ ଏବଂ ସାଧାରଣ ଯୋଗାଣ ମନ୍ତ୍ରଣାଳୟ କହିଛି ଯେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏହି ଚିନି ଋତୁରେ ଭାରତ ଚିନି ଉତ୍ପାଦନ ତଥା ବ୍ୟବହାର କରୁଥିବା ବୃହତ୍ତମ ଦେଶ ଭାବରେ ଉଭା ହୋଇଛି। ଚିନି ଋତୁ ଯାହା ଗତ ସେପ୍ଟେମ୍ବର ମାସରେ (୨୦୨୧ ଅକ୍ଟୋବରରୁ ୨୦୨୨ ସେପ୍ଟେମ୍ବର) ଶେଷ ହୋଇଥିଲା, ଭାରତ ବ୍ରାଜିଲକୁ ଅତିକ୍ରମ କରି ବିଶ୍ୱର ସର୍ବବୃହତ ଚିନି ଉତ୍ପାଦନକାରୀ ଭାବରେ ପରିଣତ ହୋଇଛି।
ଖାଦ୍ୟ ଏବଂ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଚଳିତ ବର୍ଷର ଚିନି ଋତୁରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚିନି ରପ୍ତାନୀକାରୀ ଦେଶ ହୋଇପାରିଛି। ବ୍ରାଜିଲ ପରେ ଚିନି ରପ୍ତାନୀକାରୀ ଦେଶ ହେଉଛି ଭାରତ । ଏହି ଋତୁରେ ଭାରତରେ ୫ ହଜାର ଲକ୍ଷ ମେଟ୍ରିକ୍ ଟନ ମୂଲ୍ୟରୁ ଅଧିକ ଆଖୁ ଉତ୍ପାଦିତ ହୋଇଥିଲା। ତାହା ମଧ୍ୟରୁ ୩୫୭୪ ଲକ୍ଷ ମେଟ୍ରିକ ଟନ ଏଲଏମଟି ଆଖୁ ଚିନି କଳରେ ପେଡା ଯାଇଥିବା ବେଳେ ୩୯୫ ଲକ୍ଷ ମେଟ୍ରିକ୍ ଟନ୍ ଚିନି (ସୁକ୍ରୋଜ୍) ତିଆରି କରାଯାଇଛି। ଏହି ଚିନି ଋତୁରେ ୧୦୯.୮ ଲକ୍ଷ ମେଟ୍ରିକ୍ ଟନ୍ ଚିନି ରପ୍ତାନି ହୋଇଛି। ଯାହାକି ଏକ ରେକର୍ଡ ସ୍ତର।
ବିଦେଶକୁ ଚିନି ରପ୍ତାନୀ ହେତୁ ଭାରତ ୪୦ ହଜାର କୋଟି ଟଙ୍କା ମୂଲ୍ୟର ବୈଦେଶିକ ହାସଲ କରିଛି। ମନ୍ତ୍ରଣାଳୟ ଅନୁଯାୟୀ ଇଥାନଲ ଉତ୍ପାଦନରେ ଚିନି ବ୍ୟବହାର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ସଂଖ୍ୟା ୨୦୧୮-୧୯ ବର୍ଷରେ ୩ ଏଲଏମଟି ରୁ ୨୦୨୧-୨୨ ବର୍ଷର ଚିନି ଋତୁରେ ଏହାର ପରିମାଣ ୩୫ ଲକ୍ଷ ଏଲଏମଟି କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଏହି ଋତୁ ଶେଷରେ ୬୦ ଲକ୍ଷ ଏଲଏମଟି ପରିମାଣର ଚିନି ଗଚ୍ଛିତ ରହିଛି। ଯାହା ଅଢେଇ ମାସର ଆବଶ୍ୟକତା ପୂରଣ କରିପାରିବ।
ମନ୍ତ୍ରଣାଳୟ କହିଛି ଯେ ଚିନି ଉତ୍ପାଦନ ପାଇଁ ଏହି ଚିନି ଋତୁ ପାଇଁ ଐତିହାସିକ ହୋଇଛି। ଆଖୁ ଚାଷ, ଉତ୍ପାଦନ, ବ୍ୟବହାର ଏବଂ ଚିନି କ୍ରୟ ୨୦୨୧-୨୨ ଋତୁରେ ରେକର୍ଡ ସ୍ତର ହାସଲ କରିଛି। ଏଥର ପାଣିପାଗ ଭାରତୀୟ ଚିନି କ୍ଷେତ୍ର ପାଇଁ ଉପଯୁକ୍ତ ପ୍ରମାଣିତ ହୋଇଥିବା କହିଛି ଖାଦ୍ୟ ଏବଂ ସାଧାରଣ ଯୋଗାଣ ମନ୍ତ୍ରଣାଳୟ। ସେହିପରି ୨୦୨୧-୨୨ ଚିନି ଋତୁରେ ଚିନି କଳ ୧.୧୮ ଲକ୍ଷ କୋଟି ଟଙ୍କାର ଆଖୁ କ୍ରୟ କରିଥିଲେ। କେନ୍ଦ୍ର ସରକାରଙ୍କ କୌଣସି ଆର୍ଥିକ ସହାୟତା ବିନା ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଦେୟ ଆଖୁ ଚାଷୀଙ୍କୁ ପ୍ରଦାନ କରିଥିଲେ। ସେହିଭଳି ଆଖୁ ଉତ୍ପାଦନ ଋତୁର ଶେଷରେ ଅଖୁ ବକେୟା ୬ ହଜାର କୋଟି ଟଙ୍କାରୁ କମ ରହିଛି। ଯାହା ଦର୍ଶାଉଛି ଯେ ୯୫% ବକେୟା ପ୍ରଦାନ ହୋଇସାରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨୦-୨୧ ଚିନି ଋତୁ ୯୯.୯ ପ୍ରତିଶତରୁ ଅଧିକ ବକେୟା ରାଶି ପରିଶୋଧ କରାଯାଇଛି।
ଗତ ୨୦୨୦-୨୧ ବର୍ଷରେ ଦେଶରେ ୭୦ ଲକ୍ଷ ଟନ ଚିନି ରପ୍ତାନୀ କରା ଯାଇଥିଲା। ୨୦୧୯-୨୦ ବର୍ଷରେ ଏହାର ପରିମାଣ ୫୯.୬ ଲକ୍ଷ ଟନ ରହିଥିଲା। ଏହା ବ୍ୟତୀତ ଗତ ଋତୁରେ ୫୦୬ ଚିନି କଳରେ ଆଖୁ ପେଡ଼ା ଯାଇଥିଲା। ଚଳିତ ୨୦୨୧-୨୨ ଋତୁରେ ମୋଟ ୫୨୨ ଚିନି କଳରେ ଆଖୁ ପେଡ଼ା ଯାଇଛି। ମନ୍ତ୍ରଣାଳୟ କହିଛି, ଆନ୍ତର୍ଜାତୀୟ ମୂଲ୍ୟ ଏବଂ ଭାରତ ସରକାରଙ୍କ ନୀତି ଯୋଗୁଁ ଭାରତୀୟ ଚିନି ଶିଳ୍ପ ଏହି ସଫଳତା ହାସଲ କରିଛି। ରପ୍ତାନିରୁ ଦେଶ ପ୍ରାୟ ୪୦ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ହାସଲ କରିଛି।
