ଏସିଆର ୪ର୍ଥ ଶକ୍ତିଶାଳୀ ଦେଶ ତାଲିକାରେ ଭାରତ : ରିପୋର୍ଟ
ନୂଆଦିଲ୍ଲୀ : ଏସିଆର ୪ର୍ଥ ଶକ୍ତିଶାଳୀ ଦେଶ ତାଲିକାରେ ସ୍ଥାନିତ ହୋଇଛି ଭାରତ । ସିଡନୀର ଲୋୱି ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଏସିଆ ପାୱାର୍ ଇଣ୍ଡେକ୍ସ ୨୦୨୧’ ରେ ଅଣ-ଏସିୟ ଦେଶ ଆମେରିକାକୁ ତାଲିକାର ଶୀର୍ଷରେ ରଖିଥିବା ବେଳେ ୨ୟ ସ୍ଥାନରେ ଚୀନ,୩ୟ ସ୍ଥାନରେ ଜାପାନ ଓ ତାଲିକାର ୪ର୍ଥ ସ୍ଥାନରେ ସ୍ଥାନ ପାଇଛି ଭାରତ ।
ତେବେ ଅଣ-ଏସିୟ ଦେଶ ଆମେରିକା ପ୍ରଥମ ସ୍ଥାନ ଦଖଲ କରିବା ପଛରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବଢୁଥିବା ଆଧିପତ୍ୟକୁ କାରଣ ଦର୍ଶାଇଛି ସର୍ବେକ୍ଷଣକାରୀ ସଂସ୍ଥା ଲୋୱି ଇନଷ୍ଟିଚ୍ୟୁଟ । ତେବେ କୋରୋନା ମହାମାରୀ ଏବଂ ଲକଡାଉନ ପ୍ରଭାବରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ ଓ ଭାରତ ପରି ଶକ୍ତିଶାଳୀ ଏସିୟ ଦେଶଙ୍କ ପ୍ରଭାବ ପୂର୍ବାପେକ୍ଷା ହ୍ରାସ ପାଇଥିବାବେଳେ ଅଣ-ଏସିୟ ଦେଶ ଆମେରିକା ଏହି କ୍ଷେତ୍ରରେ ନିଜର ଆଧିପତ୍ୟ ବୃଦ୍ଧି କରିଥିବା ଯୋଗୁ ତାଲିକାର ଶୀର୍ଷରେ ସ୍ଥାନ ହାସଲ କରିଥିବା ସର୍ବେକ୍ଷଣକାରୀ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦ ତୁଳନାରେ ଭାରତ ମଧ୍ୟ ଚଳିତ ବର୍ଷ ୨ ପଏଣ୍ଟ ଖସିଥିବା ବେଳେ ଚୀନ ମଧ୍ୟ ୧.୫ ପଏଣ୍ଟ ତଳକୁ ଖସିଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରମୁଖ ଏସୀୟ ଦେଶମାନଙ୍କର ପ୍ରଭାବ ହ୍ରାସ ପାଇଥିବା ବେଳେ ଆମେରିକା ନିଜର ଉତ୍ତମ କୂଟନୀତି ବଳରେ ଉକ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଛି । ପୂର୍ବରୁ ଚୀନ୍ ଶୀର୍ଷରେ ଥିବା ବେଳେ ବର୍ତ୍ତମାନ ୨ୟ ସ୍ଥାନକୁ ଖସିଛି । ଚୀନର ସ୍ଥାନ ଦଖଲ କରିବାରେ ସଫଳ ହୋଇଛି ଆମେରିକା ।
ସେହିପରି ଏହି କ୍ଷେତ୍ରରେ ୪ର୍ଥ ବୃହତ୍ତମ ଶକ୍ତି ଭାବେ ସ୍ଥାନ ପାଇଛି ଭାରତ । କୋଭିଡ ମହାମାରୀ ପ୍ରଭାବରେ ଆର୍ଥିକ ତଥା କୂଟନୈତିକ ଭାବେ ଭାରତ ଏହି କ୍ଷେତ୍ରରେ ତାର ପୂର୍ବ ପ୍ରଭାବ ହରାଇଛି । ସାମ୍ପ୍ରତିକ ସ୍ଥିତି ତଥା ଅର୍ଥନୈତିକ ସାମର୍ଥ୍ୟ, ସାମରିକ ସାମର୍ଥ୍ୟ, ସ୍ଥିରତା ଏବଂ ସାଂସ୍କୃତିକ ପ୍ରଭାବ ଦୃଷ୍ଟିରୁ ଏହା ଚତୁର୍ଥ ସ୍ଥାନରେ ରହିଥିବା ସର୍ବେକ୍ଷଣକାରୀ ସଂସ୍ଥା କହିଛି ।
ଏହି ତାଲିକାରେ ଚୀନ ବ୍ୟତୀତ ଭାରତର ସମସ୍ତ ପଡୋଶୀ ଦେଶ ପୂର୍ବ ପରି ତଳେ ରହିଛନ୍ତି । ଏହି ତାଲିକାରେ ପାକିସ୍ତାନ ୧୪.୭ ପଏଣ୍ଟ ସହ ୧୫ ନମ୍ବରରେ ଥିବାବେଳେ ବାଂଲାଦେଶ ୯.୪ ପଏଣ୍ଟ ସହ ୧୯ ନମ୍ବରରେ ରହିଛି । ୨୦ ନମ୍ବରରେ ୮.୬ ପଏଣ୍ଟ ସହ ଶ୍ରୀଲଙ୍କା, ୭.୪ ପଏଣ୍ଟ ସହ ୨୧ ନମ୍ବରରେ ମିଆଁମାର ଏବଂ ୪.୫ ପଏଣ୍ଟ ସହ ୨୫ ନମ୍ବରରେ ନେପାଳ ରହିଛି ।
