ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦, ବିଶ୍ୱକପ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟସ ଜିତି ରୋହିତଙ୍କ ବୋଲିଂ ନିଷ୍ପତ୍ତି
ଜୟପୁର : ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ଏହା ପୂର୍ବରୁ ପଡିଥିବା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଫଳରେ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଏହି ମ୍ୟାଚରେ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେବା ଲକ୍ଷରେ ରହିଛି ରୋହିତ ବାହିନୀ ।
ରୋହିତ ଶର୍ମାଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସେହିପରି ଉପଅଧିନାୟକ ଦାୟିତ୍ଵରେ ଅଛନ୍ତି କେଏଲ ରାହୁଲ। ଟି-୨୦ ବିଶ୍ଵ କପ୍ରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ଏହି ମ୍ୟାଚ୍ରେ କିନ୍ତୁ ଟସ୍ର ସେତେଟା ମହତ୍ବ ରହିବନି। କାରଣ ମ୍ୟାଚ୍ର ଉଭୟ ପାଳିରେ କାକର ସମାନ ପରିମାଣରେ ପଡ଼ିବ। ଗତ ଦୁଇ ଦିନର ପରିସ୍ଥିତି ଅନୁଯାୟୀ ଜୟପୁରରେ ସଂପ୍ରତି ରାତି ୭ଟାରୁ କାକର ପଡ଼ିବା ଆରମ୍ଭ ହୋଇଯାଉଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଖାପାଖି ସେହି ସମୟରେ ଆରମ୍ଭ ହେବାର ଥିବାରୁ କୌଣସି ଦଳ ଫାଇଦାରେ ରହିବେନି। ଅର୍ଥାତ୍ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କଲେ ମଧ୍ୟ ବିଶେଷ ଫାଇଦାରେ ରହିବନି। ଆୟୋଜକ ରାଜସ୍ଥାନ କ୍ରିକେଟ୍ ସଂଘ ମଧ୍ୟ କାକର ନିରୋଧୀ ସ୍ପ୍ରେ’ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ଯେ, ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ଟି-୨୦ ନଭେମ୍ବର ୧୯ରେ ରାଞ୍ଚିରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୧ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହା ପରେ ନଭେମ୍ବର ୨୫ରେ କାନପୁରରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ। ଦେଖିବାକୁ ବାକି ରହିଲା ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ସିରିଜ୍ରେ କେମିତି ପ୍ରଦର୍ଶନ କରୁଛି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଈଶ୍ ସୋଢି।
