କଂଗ୍ରେସ ଷ୍ଟିୟରିଂ କମିଟି ଗଠନ କଲେ ଖଡ଼ଗେ, ବାଦ ପଡିଲେ ଥରୁର
ନୂଆଦିଲ୍ଲୀ: କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପଦ ସମ୍ଭାଳିବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଖଡ଼ଗେ କଂଗ୍ରେସ ୱାର୍କିଂ କମିଟି ବଦଳରେ କଂଗ୍ରେସ ଷ୍ଟିୟରିଂ କମିଟି ଗଠନ କରିଛନ୍ତି । ଏହି କମିଟିରେ ଗାନ୍ଧି ପରିବାରର ସଦସ୍ୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ମୋଟ ୪୭ଜଣ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏହି କମିଟି କଂଗ୍ରେସ ୱାର୍କିଂ କମିଟି ସ୍ଥାନରେ କାମ କରିବ । ମାତ୍ର ଶଶି ଥରୁରଙ୍କ ନାମ ଏଥିରେ ସାମିଲ୍ ନାହିଁ। ଯେ ପର୍ଯ୍ୟନ୍ତ ନୂତନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗଠନ ନହୋଇଛି ସେ ପର୍ଯ୍ୟନ୍ତ ପରିଚାଳନା କମିଟି ଜରିଆରେ ପାର୍ଟି ସଞ୍ଚାଳନ ହେବ।
ପରିଚାଳନା କମିଟିରେ ୪୭ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କୁ ଛାଡ଼ି ଏକେ ଆଣ୍ଟୋନି, ଅଭିଷେକ ମନୁ ସିଂବି, ଅଜୟ ମାକନ, ଅମ୍ବିକା ସୋନୀ, ଆନନ୍ଦ ଶର୍ମା, ଅବିନାଶ ପାଣ୍ଡେ, ହରିଶ ରାୱତ, ଜୟରାମ ରମେଶ, ଜିତେନ୍ଦ୍ର ସିଂ, କୁମାରୀ ଶୈଲଜା, କେସି ବେଣୁ ଗୋପାଲ, ମୁକୁଲ ୱାସନିକ, ଓମେନ୍ ଚେଣ୍ଡି, ପି ଚିଦାମ୍ବରମ୍, ରଣଦୀପ ସିଂ ସୁରଜେୱାଲା, ରଘୁବୀର ମୀନା, ତାରିକ ଅନୱର, ଅହିର ରଂଜନ ଚୌଧୁରୀ, ଦେବେନ୍ଦ୍ର ଯାଦବ ଦିଗବିଜୟ ସିଂହ, ଦୀନେଶ ଗୁଣ୍ଡୁ ରାଓ, ହରିଶ ଚୌଧୁରୀ, ଏଚ୍.କେ ପାଟିଲ, ଜୟ ପ୍ରକାଶ ଅଗ୍ରୱାଲ, କେଏଚ ମୁନିୟପ୍ପା, ବି ମାଣିକମ୍ ଟାଗୋର, ମନୀଷ ଚତରଥ, ମୀରା କୁମାର, ପିଏଲ୍ ପୁନିଆ, ପୱନ କୁମାର ବନସଲ, ପ୍ରମୋଦ ତିୱାରୀ, ରଂଜନୀ ପାଟିଲ, ରଘୁ ଶର୍ମା, ସଞ୍ଜୀବ ଶୁକ୍ଳା, ସଲମାନ ଖୁରସିଦ, ଶକ୍ତିସିଂହ ଗୋହିଲ, ଟି ସୁବିରାମି ରେଡ୍ଡୀ, ତାରିକ ହମିଦ୍ ସାମିଲ୍ ଅଛନ୍ତି।
ସୂଚନା ଯେ, କଂଗ୍ରେସ କାର୍ଯ୍ୟକାରି କମିଟି (ସିଡବ୍ଲୁସି) ଦଳର ନିର୍ଣ୍ଣାୟକ ସଂସ୍ଥା। କିନ୍ତୁ ଯେବେ ପର୍ଯ୍ୟନ୍ତ ଏହାର ଗଠନ ହୋଇନି ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ନେବ। ଗତକାଲି ବା ଅକ୍ଟୋବର ୨୫ରେ ସମସ୍ତ ସଦସ୍ୟ ଏହି କାର୍ଯ୍ୟକାରି କମିଟିରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ଦଳୀୟ ସମ୍ୱିଧାନର ନିୟମ ଅନୁସାରେ କାର୍ଯ୍ୟକାରି କମିଟିରେ ୧୧ ଜଣ ମନୋନିତ ସଦସ୍ୟ ଓ ୧୨ ଜଣ ନିର୍ବାଚିତ ସଦସ୍ୟ ରହନ୍ତି। ଦଳର ପୂର୍ଣ୍ଣ କାଳୀନ ଅଧିବେଶନରେ କାର୍ଯ୍ୟକାରୀ କମିଟି ଘୋଷଣା କରାଯିବ।
