ଥୋମାସ କପ୍ ଜିତି ଇତିହାସ ରଚିଲା ଭାରତ
ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ କେନ୍ଦ୍ର କୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଂଟନ ଟିମ୍ । ବେଡ୍ମିଂଟନର ପ୍ରତିଷ୍ଠିତ ଟୁର୍ଣ୍ଣାମେଂଟ ଥୋମାସ କପ୍ ଜିତିଲା ଭାରତ । ପ୍ରଥମଥର ଭାରତ ଜିତିଛି ଥୋମାସା କପ୍ । ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ । ଥୋମାସ କପ୍ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ । ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି । ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାକ୍ର ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍ ଜିତି ପାରିଥିଲେ । ପ୍ରଥମ ଥର ପାଇଁ ଭାରତକୁ ଏହି ସଫଳତା ମିଳିଛି । ଖେଳାଳିମାନଙ୍କର ଏହି ଐତିହାସିକ ସଫଳତା ପାଇଁ ଖୁସି ବ୍ୟକ୍ତ କରି କରିବା ସହିତ ସେମାନଙ୍କୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତା ସହିତ ଇତିହାସ ରଚିଥିବା ବିଜେତା ଟିମ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଖେଳ ମନ୍ତ୍ରାଳୟ ଘୋଷଣା କରିଛି । କେନ୍ଦ୍ର କୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ୍ କରି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେ ମଧ୍ୟ ବିଜେତା ଟିମ୍କୁ ବଧେଇ ଜଣାଇବା ସହିତ ଦେଶ ପାଇଁ ଗର୍ବର କଥା ବୋଲି କହିଛନ୍ତି ।
ରବିବାର ଭାରତୀୟ ବ୍ୟାଡମିଂଟନ ପାଇଁ ଐତିହାସକ ଦିନ । ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ଭାରତ ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ ସେଟ୍ରେ ପରାସ୍ତ କରି ନୂଆ କୀର୍ତିମାନ ସ୍ଥାପନ କରିଛି । ଭାରତ ପକ୍ଷରୁ ଲକ୍ଷ୍ୟ ସେନ, ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ-ଚିରାଗ ଶେଟ୍ଟୀ ଓ କାଦମ୍ବୀ ଶ୍ରୀକାନ୍ତ ନିଜ ନିଜର ମ୍ୟାଚ୍ ଜିତି ଇଣ୍ଡୋନେସିଆକୁ ଏକତରଫା ଭାବେ ୩-୦ ସେଟରେ ପରାସ୍ତ କରିଛନ୍ତି । ଲକ୍ଷ୍ୟ ସେନ ଫାଇନାଲ ଲଢ଼େଇର ପ୍ରଥମ ମୁକାବିଲାରେ ଇଣ୍ଡୋନେସିଆ ତଥା ବିଶ୍ୱର ୫ନଂ ଶିଡ୍ ଆନ୍େଥାନୀ ଜିନଟିଙ୍ଗଙ୍କୁ ୮-୨୧, ୨୧-୧୭ ଓ ୨୧-୧୬ରେ ପରାସ୍ତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସବୁଠାରୁ ବଡ଼ ଲଢ଼େଇ । ଡବଲ୍ସରେ ସାତ୍ୱିକ ଓ ଚିରାଗ ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଉଭୟ ଦମଦାର ପ୍ରଦର୍ଶନ କରି ଇଣ୍ଡୋନେସିଆର ମହମ୍ମଦ ଅଶାନ ଓ କେଭିନ ସଞ୍ଜୟଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ଟି ଦୀର୍ଘ ୧ ଘଂଟା ୧୩ ମିନିଟ ଧରି ଚାଲିଥିଲା । ଶେଷରେ ଭାରତୀୟ ଯୋଡ଼ି ୧୮-୨୧, ୨୩-୨୧ ଓ ୨୧-୧୯ରେ ଜିତି ନେଇଥିଲେ । ଫଳରେ ଭାରତ ଫାଇନାଲ ମ୍ୟାଚ୍କୁ ୨-୦ରେ ଲିଡ୍ କରି ନେଇଥିଲା । ତୃତୀୟ ମ୍ୟାଚ୍ରେ ଅଭିଜ୍ଞ ଶ୍ରୀକାନ୍ତ ମାତ୍ର ୪୮ ମିନିଟରେ ମ୍ୟାଚ୍ ଶେଷ କରିଥିଲେ । ସେ ୨୧-୧୫ ଓ ୨୩-୨୧ରେ ମ୍ୟାଚ୍ ଜିତି ଭାରତକୁ ପ୍ରଥମଥର ପାଇଁ ଥୋମାସ କପରେ ଚାମ୍ପିୟନ କରାଇଥିଲେ ।
