ଆଜି ଭାରତ ବନ୍ଦ : ଆସନ୍ତୁ ଜାଣିବା କଣ ରହିବ ଖୋଲା ଓ କଣ ହେବ ବନ୍ଦ !
ନୂଆଦିଲ୍ଲୀ : ଆଜି ଭାରତ ବନ୍ଦ । ବିଭିନ୍ନ ରାଜବୈତିକ ଦଳ, କୃଷି ସଂଗଠନ ଓ ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷ ଭାବରେ ଭାରତ ବନ୍ଦ ସମୟରେ ସବୁ ପ୍ରମୁଖ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ଭାରତ ବନ୍ଦ ସମୟରେ ସବୁ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜଣାପଡିଥିବା ବେଳେ ସରକାରୀ ଅଫିସ୍ ଗୁଡିକରେ ସମୟ ପୂର୍ବରୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଚାଷୀମାନେ ଧାରଣାରେ ବସିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାଷୀମାନେ ଅନେକ ଥର ଭାରତ ବନ୍ଦ ମଧ୍ୟ କରିଛନ୍ତି । ଆଉ ଏହାରି ଭିତରେ ଆଜି ଚାଷୀମାନେ ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଭାରତ ବନ୍ଦ ପାଳନ ହେବ । ଦିଲ୍ଲୀ ବର୍ଡରରେ ଚାଷୀମାନେ ଧାରଣା ଦେବେ । ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ । ସେହିଭଳି ସାରା ଦେଶରେ ମଧ୍ୟ ଏହି ଭାରତ ବନ୍ଦ କରାଯିବ ବୋଲି ଚାଷୀ ସଙ୍ଗଠନମାନେ କହିଛନ୍ତି । ଭାରତୀୟ କିଷାନ ୟୁନିୟନର ମିଡିଆ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ସାରା ଦେଶରେ ଏହାକୁ ସଫଳ କରିବାକୁ ଚାଷୀଭାଇମାନେ ପ୍ରୟାସ କରିବେ । ସେହିପରି କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପିସିସି ସଭାପତି କହିଛନ୍ତି, ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବେ, ତେବେ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ । ସେହିପରି ବିଜେଡି କହିଛି, ଚାଷୀଙ୍କ ସହ ଦଳ ସବୁ ବେଳେ ରହିଛି, ସଂସଦରେ ଏମଏସପି ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇଛି । ଏହାର ଜବାବ ଦେଇ ବିଜେପି କହିଛି, କଂଗ୍ରେସ ଓ ବାମ ଦଳ ନିଜ ରାଜନୈତିକ ପତିଆରା ବଜାୟ ରଖିବାକୁ ଏପରି ବନ୍ଦ, ଆନ୍ଦୋଳନ କରିଥାନ୍ତି, ଏହାର କୌଣସି ପ୍ରଭାବ ପଡିବ ନାହିଁ ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କ କହିବା ମୁତାବକ, ଏହି ଭାରତ ବନ୍ଦ ସମୟରେ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ସେହିପରି ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ । ଆମ୍ବୁଲାନ୍ସ ସେବା ପୂୂର୍ବଭଳି ଜାରି ରହିବ ବୋଲି କୁହାଯାଇଛି । ଅନ୍ୟପଟେ କଂଗ୍ରେସ ଏହି ଭାରତ ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଛି । ସେହିପରି ଆପ ନେତା ରାଘବ ଚଡ୍ଡା ମଧ୍ୟ ଟୁଇଟ୍ କରି ତାଙ୍କ ଦଳ ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି । ଏହି ଦୁଇ ଦଳ ସହିତ ବାମ ଦଳ ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି ।
