ଆଜି ଭାରତ-ହଂକଂ ମୁକାବିଲା ! ସୁପର-୪ ପ୍ରବେଶ ଲକ୍ଷ୍ୟରେ ବ୍ଲୁ ଆର୍ମି, ଏହିପରି ହୋଇପାରେ ଚୂଡ଼ାନ୍ତ ଏକାଦଶ
ସାମିଲ ହେବେ ପନ୍ତ, ବାଦ୍ ପଡ଼ି ପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ : ଏସିଆ କପ୍-୨୦୨୨ର ଚତୁର୍ଥ ମ୍ୟାଚ୍ରେ ବୁଧବାର ମୁହାଁମୁହିଁ ହେବେ ଭାରତ ଓ ହଂକଂ । ବ୍ଲୁ ଆର୍ମି ଏହି ମୁକାବିଲା ଜିତି ସହଜରେ ସୁପର ୪ରେ ପ୍ରବେଶ କରିବାକୁ ଚାହିଁବ । କାରଣ ଭାରତୀୟ ଦଳ ସ୍ମରଣୀୟ ବିଜୟ ସହ ଏସିଆ କପ୍ ୨୦୨୨ର ଆରମ୍ଭ କରିଛି । ବ୍ଲୁ ଆର୍ମି ନିଜର ପ୍ରଥମ ମୁକାବିଲାରେ ହିଁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ହରାଇଛି । ଅନ୍ୟପଟେ ବିପକ୍ଷ ହଂକଂ ମଧ୍ୟ ବିଜୟ ସହିତ ଟୁର୍ଣ୍ଣାମେଣ୍ଟରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହିଁବ ।
ହଂକଂ ବିପକ୍ଷ ମ୍ୟାଚରେ ପୁଣି ଥରେ ରୋହିତ ଏବଂ ରାହୁଲଙ୍କୁ ଓପନିଂ କରିବା ଦେଖିବାକୁ ମିଳିପାରେ । ଦୁଇ ବ୍ୟାଟସମ୍ୟାନ ନିଜର ପୂର୍ବ ମ୍ୟାଚରେ ଫ୍ଲପ୍ ହୋଇଥିଲେ । ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖାତା ବି ଖୋଲି ପାରିନଥିଲେ । ରୋହିତ ଶର୍ମା ୧୮ ବଲରୁ ୧୨ ରନ କରି ପାଭିଲିୟନ ଫେରିଥିଲେ । ତେବେ ଦୁଇ ବ୍ୟାଟସମ୍ୟାନଙ୍କ କ୍ଷମତା ବିଷୟରେ ସମସ୍ତେ ଅବଗତ । ଥରେ କ୍ରିଜରେ ଜମିଗଲେ ଏକା ମ୍ୟାଚ୍ ଜିତାଇବାର ସାମର୍ଥ୍ୟ ରଖିଛନ୍ତି ରାହୁଲ ଏବଂ ରୋହିତ । ପ୍ରଶଂସକ ଆଶା ରଖିଛନ୍ତି ଯେ, ହଂକଂ ମୁକାବିଲାରେ ଦୁଇ ବ୍ୟାଟସମ୍ୟାନ ନିଜର ପୁରୁଣା ରଙ୍ଗରେ ଆସନ୍ତୁ । ସେହିପରି ମଧ୍ୟକ୍ରମର ଦାୟିତ୍ଵ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂରେ ଅଧିକ ଗଭୀରତା ପାଇଁ ଅଭେଶ ଖାନଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସାମିଲ୍ କରି ପାରନ୍ତି। ଅଭେଶ ଗତ ମ୍ୟାଚରେ ସେତେଟା ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ଅନ୍ୟପଟେ ପନ୍ତ ଜଣେ ମ୍ୟାଚ୍ ବିଜେତା ଖେଳାଳି। ସେ ନିଜ ଦମରେ ମ୍ୟାଚର ଗତିପଥ ବଦଳାଇବାର କ୍ଷମତା ରଖନ୍ତି। ପୁଣି ମ୍ୟାଚ୍ ଫିନିସ କରିବାର ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଏବଂ ରବୀନ୍ଦ୍ର ଜାଡେଜାଙ୍କ କାନ୍ଧ ଉପରେ ରହିବ।
ଅନ୍ୟପକ୍ଷରେ ହଂକଂ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ଦୁଇ ଦ୍ରୁତ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇ ପାରନ୍ତି। ଏଥିରେ ଭୁବନେଶ୍ଵର କୁମାର ଏବଂ ଅର୍ଶଦୀପ ସିଂହ ଖେଳିବା ନିଶ୍ଚିତ ଲାଗୁଛି। ତୃତୀୟ ଦ୍ରୁତ ବୋଲର ଭୂମିକା ନିର୍ବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା। ବିଶେଷଜ୍ଞ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ସ୍ପଷ୍ଟ। ପଞ୍ଚମ ବୋଲରଙ୍କ ଅଭାବ ରବୀନ୍ଦ୍ର ଜାଡେଜା ପୂରଣ କରି ପାରନ୍ତି।
ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ । ପାକିସ୍ତାନ ବିପକ୍ଷରେ ବିଜୟ ପରେ ରୋହିତ ଅଧିନାୟକ ଭାବେ ଏସିଆ କପରେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି । ଏହାପୂର୍ବରୁ ରୋହିତଙ୍କ ବ୍ୟତୀତ ଏମଏସ ଧୋନୀ ଓ ମୋଇନ୍ ଖାନ ଏଧିନାୟକ ଭାବେ ଲଗାତର ୬ଟି ମ୍ୟାଚ୍ ଜିତିଥିଲେ । ଯଦି ଭାରତ ହଂକଂକୁ ପରାସ୍ତ କରିଦିଏ ତେବେ ରୋହିତ ଧୋନୀ ଓ ମୋଇନ୍ ଖାନଙ୍କୁ ପଛରେ ପକାଇଦେବେ ।
ହଂକଂ ବିପକ୍ଷରେ ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ : ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ।
