ସ୍ଥଗିତ ଟେଷ୍ଟ ମ୍ୟାଚ୍ ଖେଳିବେ ଭାରତ-ଇଂଲଣ୍ଡ
- ଆସନ୍ତା ବର୍ଷ ଜୁଲାଇରେ ପଞ୍ଚମ ଟେଷ୍ଟ, ସିରିଜ୍ରେ ୨-୧ରେ ଅଗ୍ରଣୀ ରହିଛି ଭାରତ
ଲଣ୍ଡନ : ମହାମାରୀ କରୋନା ପାଇଁ ସ୍ଥଗିତ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ୫ମ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଇଂଲଣ୍ଡ। ଆସନ୍ତା ବର୍ଷ ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସ୍ଥଗିତ ରହିଥିବା ଇନ୍ସ୍ୟୁରାନ୍ସ ଟେଷ୍ଟ ସିରିଜ୍ର ୫ମ ମ୍ୟାଚ୍ ଖେଳାଯିବ ବୋଲି ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଟ୍ୱିଟ କରି ସୂଚନା ଦେଇଛି। ଏହି ସିରିଜ୍ରେ ୪ଟି ମ୍ୟାଚ୍ ପୂର୍ବରୁ ଖେଳା ଯାଇ ସାରିଛି। ଯେଉଁଥିରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍ ଖେଳିବାକୁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା। ଟିମ ଇଣ୍ଡିଆର ମୁଖ୍ୟ କୋଚ୍ଙ୍କ ସମେତ ଆଉ କିଛି ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସିରିଜ୍ର ଅନ୍ତିମ ମ୍ୟାଚ୍କୁ ଦୁଇ ବୋର୍ଡ ଆପୋଷ ବୁଝାମଣା ଦ୍ୱାରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉକ୍ତ ସ୍ଥଗିତ ମ୍ୟାଚ୍ ଜୁଲାଇ ୧ ତାରିଖ ୨୦୨୨ରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।
The fifth match of our Men's LV= Insurance Test Series against India has been rescheduled and will now take place in July 2022.
— England Cricket (@englandcricket) October 22, 2021
ଏନେଇ ଇସିବି ଆନୁଷ୍ଠାନିକ ଭାବେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍ର ପୁନଃ କାର୍ଯ୍ୟସୂଚୀ ଜାରି କରିଛି। ଏହାର ଆୟୋଜନ ୨୦୨୨ ଜୁଲାଇ ମାସରେ ଖେଳାଯିବ। ଇସିବି ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ରେ ଭାରତ କରୋନା ମହାମାରୀ କାରଣରୁ ନିଜ ଟିମ୍କୁ ମଇଦାନକୁ ଓହ୍ଲାଇ ପାରିନଥିଲା। ଏହି କାରଣରୁ ମ୍ୟାଚ୍ ସ୍ଥଗିତ ରଖିବାକୁ ପଡିଥିଲା। ହେଲେ ଏହାର ଆୟୋଜନ ୨୦୨୨ ଜୁଲାଇରେ ଏଜବାଷ୍ଟନରେ ହେବ। ସୂଚନା ଯେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଟେଷ୍ଟ ସିରିଜ୍ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଅଂଶ। ଦୁଇ ଦଳ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ୪ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ୪ ଟେଷ୍ଟ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ଡ୍ର ରହିଥିବା ବେଳେ ଭାରତ ଦ୍ଵିତୀୟ ଏବଂ ଚତୁର୍ଥ ଟେଷ୍ଟ ଜିତିଥିଲା। ଇଂଲଣ୍ଡ ତୃତୀୟ ଟେଷ୍ଟ ଜିତିବାରେ ସଫଳ ହୋଇଥିଲା। ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୨-୧ରେ ଅଗ୍ରଣୀ ରହିଛି।
