ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍
- ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି ଭାରତ
ନୂଆଦିଲ୍ଲୀ : ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଓଭାଲରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡ୍ରେ ଦୋହରାଇବା ପାଇଁ ଘରୋଇ ଇଂଲଣ୍ଡ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତୀୟ ଦଳ ପୁଣି ଥରେ ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି । ପ୍ରଥମ ଦୁଇଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତ ତୃତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ଭୋଗିଛି। ଘରୋଇ ଦଳ ହାତରୁ ବିରାଟ ବାହିନୀକୁ ଇନିଂସ ପରାଜୟ ଭୋଗିବାକୁ ପଡିଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ରହିଛି। ଏବେ ନୂଆ ମ୍ୟାଚ୍, ନୂତନ ଜାଗା ଓ ନୂତନ ପରିସ୍ଥିତି ରହିବ ଏବଂ ଦଳ ପାଖରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଛି। ପୂର୍ବ ମ୍ୟାଚ୍ର ଭୁଲ୍ ନଦୋହରାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ। ଓଭାଲ ଟେଷ୍ଟରେ ଦୁଇଟି ବଡ ପରିବର୍ତ୍ତନ ହେବାର ଆଶା ରହିଛି। ଆସନ୍ତୁ ଜାଣିବା କଣ ହୋଇପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ।
ତୃତୀୟ ଟେଷ୍ଟରେ ଇନିଂସ ବିଜୟ ପରେ ଇଂଲଣ୍ଡର ମନୋବଳ ଦ୍ୱିଗୁଣା ହୋଇଯାଇଛି । ବୋଲିଂ ବିଭାଗ ପୂର୍ବରୁ ସୁଦୃଢ ରହିଥିବାବେଳେ ବ୍ୟାଟ୍ସମ୍ୟାନମାନେ ଫର୍ମକୁ ଫେରିଛନ୍ତି । ତୃତୀୟ ଟେଷ୍ଟରେ ରୋରି ବର୍ଣ୍ଣସ, ହସିବ ହମିଦ, ଦାୱିଦ ମଲାନ ଅଧିନାୟକ ରୁଟ୍ଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ । ଫଳରେ ଭାରତକୁ ହରାଇବା ପାଇଁ ଇଂଲଣ୍ଡର ଗୋଟିଏ ଇନିଂସ ବ୍ୟାଟିଂ ଯଥେଷ୍ଟ ରହିଥିଲା । ଡିଂଲେରେ ପରାଜୟ ପରେ ଭାରତୀୟ ଦଳର ବିଭିନ୍ନ ବିଭାଗରେ ତ୍ରୁଟି ଲୋକ ଲୋଚନକୁ ଆସିଛି । ପେସ୍ ବୋଲରମାନେ କ୍ଲାନ୍ତ ହୋଇ ପଡ଼ିଛନ୍ତି । ରବିନ୍ଦ୍ର ଜାଡେଜା ଆହତ ଥିବାବେଳେ ବ୍ୟାଟ୍ସମ୍ୟାନମାନେ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଏପଟେ କିଛି ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ୍ ଅପେକ୍ଷା କରି ରହିଥିଲେ ହେଁ କୋହଲି ଏକାଦଶରେ ପରିବର୍ତ୍ତନ କରୁନଥିବାରୁ ବ୍ୟାଟିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ଲର୍ଡ୍ସରେ ଶତକ ଅର୍ଜନ କରିବା ପରେ ଲୋକେଶ ରାହୁଲ ହେଡିଂଲେରେ ନିରାଶ କରିଥିଲେ । ମଧ୍ୟଭାଗରେ ଅଜିଙ୍କ୍ୟ ରାହାଣେ ଓ ରଷଭ ପନ୍ତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତଥାପି ବ୍ୟାଟିଂ ବିଭାଗକୁ କୋହଲି ପରିବର୍ତ୍ତନ କରିବାକୁ ନାରାଜ । ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ ଓ ହନୁମା ବିହାରୀ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇନାହନ୍ତି ।
ଗୁରୁବାର ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିତ । କ୍ରିସ୍ ୱକ୍ସ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ତେଣୁ ସେ ସାମ କୁରାନଙ୍କ ସ୍ଥାନରେ ଖେଳିବା ଆଶା କରାଯାଉଛି । ଜୋସ ବଟଲରଙ୍କ ସ୍ଥାନରେ ଦଳ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିବ । ଜନି ବେୟାରଷ୍ଟୋ ୱିକେଟ୍ କିପର ଦାୟିତ୍ୱ ତୁଲାଇବେ । ଭାରତୀୟ ଦଳର ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ଈଶାନ୍ତ ଶର୍ମାଙ୍କ ସ୍ଥାନରେ ସର୍ଦୁଲ ଠାକୁର ଓ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବି ଚନ୍ଦ୍ରନ ଅଶ୍ୱିନ ଖେଳିପାରନ୍ତି । ବ୍ୟାଟିଂ ବିଭାଗ ଅପରିବର୍ତ୍ତିତ ରହିବା ଏକ ପ୍ରକାର ନିଶ୍ଚିତ । ଇଂଲଣ୍ଡରେ ଓଭାଲ ଏକମାତ୍ର ଗ୍ରାଉଣ୍ଡ୍, ଯେଉଁଠି ସ୍ପିନରମାନଙ୍କୁ ସହାୟତା ମିଳିଥାଏ । ପେସ୍ ବୋଲରମାନେ ମଧ୍ୟ ଏଠାରେ ସଫଳ ହେବେ । ୫ଦିନ ଯାକ ବର୍ଷା ହେବାର ସମ୍ଭାବନା ନାହିଁ । ଫଳରେ ଏଠାରେ ବ୍ୟାଟ୍ସମ୍ୟାନଙ୍କ ରାଜୁତି ଦେଖବାକୁ ମିଳବ । ୨୦୧୮ରେ ଉଭୟ ଦଳ ଏଠାରେ ଏକ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଆଲିଷ୍ଟାର କୁକ୍ ଓ ରୁଟ ଶତକ ଅର୍ଜନ କରିଥିଲେ । ଭାରତ ପକ୍ଷରୁ ରିଷଭ ପନ୍ତ ଓ ଲୋକେଶ ରାହୁଲ ଶତକୀୟ ପାଳି ଖେଳିଥିଲେ । ୧୯୭୧ ବିଜୟ ପରଠୁ ଭାରତୀୟ ଦଳ ଓଭାଲରେ ୮ଟି ଟେଷ୍ଟ ଖେଳିଛି । ଏଥି ମଧ୍ୟରୁ ୩ଟି ଟେଷ୍ଟ ପରାଜିତ ହୋଇଥିବାବେଳେ ଅନ୍ୟ ୫ଟି ଡ୍ର’ ରହିଛି ।
ରୋହିତ ଶର୍ମା ଓ କେଏଲ ରାହୁଲ ପୁଣି ଥରେ ଭାରତକ ମଜବୁତ ଆରମ୍ଭ ଦେବାକୁ ଚେଷ୍ଟା କରିବେ। ଏହି ଦୁଇ ଖେଳାଳି ସିରିଜ୍ରେ ଏ ପର୍ଯ୍ୟନ୍ତ ଭଲ ଆରମ୍ଭ ଦେଇଛନ୍ତି। ପୁଣି ଥରେ ଓଭାଲ ଟେଷ୍ଟରେ ଦଳ ଦୁଇ ଓପନରଙ୍କଠୁ ବଡ ଆଶା ରଖିଛି। ଅଧିନାୟକ ବିରାଟ କୋହଲି ସଂପ୍ରତି ଲୟରେ ନାହିଁ। ଗତ ଦୁଇ ବର୍ଷ ହେବ ସେ ଅନ୍ତର୍ଜାତୀୟ ଶତକ ପାଇଁ ବ୍ୟାକୁଳ। ହେଲେ ଏହି ସମୟରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। କିନ୍ତୁ ଦଳ ତାଙ୍କଠୁ ବଡ ଇନିଂସ ଆଶା ରଖିଛି। ଅନ୍ୟପଟେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଆଉ ଥରେ ଭରସା ପ୍ରକାଶ କରିପାରେ। ଚେତେଶ୍ଵର ପୂଜାରା ଗତ ମ୍ୟାଚ୍ରେ ୯୧ ରନର ଇନିଂସ ଖେଳି କିଛି ଆଶା ଜାଗ୍ରତ କରିଛନ୍ତି ଏବଂ ତାଙ୍କ ସ୍ଥାନ ପ୍ରାୟତଃ ନିଶ୍ଚିତ ଲାଗୁଛି। ଋଷଭ ପନ୍ତ ବ୍ୟାଟିଂରେ ଲଗାତାର ଫେଲ୍ ମାରିଛନ୍ତି। ମାତ୍ର ବିରାଟ ତାଙ୍କୁ ନେଇ ପ୍ରଥମରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ସେ ପନ୍ତଙ୍କୁ ଆଉ ଏକ ସୁଯୋଗ ଦେବା ନେଇ ତତ୍ପର। ତେଣୁ ଦଳ ପନ୍ତଙ୍କଠୁ ଭଲ ଇନିଂସ ଆଶା ରଖିଛି। ଏହି ମୁକାବିଲାରେ ଦଳରେ ଅଲରାଉଣ୍ଡର୍ସ ଭାବେ ଦୁଇଟି ପରିବର୍ତ୍ତନ ହୋଇପାରେ। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ଵିନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ସାମିଲ୍ କରାଯାଇପାରେ। ଦ୍ରୁତ ବୋଲର ଭାର ପୁଣି ଥରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ କାନ୍ଧରେ ରହିବ।
