ବାଂଲାଦେଶ ହାତରୁ ବିଜୟ ଛଡ଼ାଇ ଆଣିଲେ ଅଶ୍ୱିନ ଓ ଆୟର, ୩ ୱିକେଟରେ ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ
ମୀରପୁର : ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତୀୟ ଦଳ ସିରିଜ କୁ ୨-୦ରେ ଜିତିନେଇଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା । ଏହା ପରେ ଶ୍ରେୟାସ ଆୟର (୨୯ *) ଓ ରବିଚନ୍ଦ୍ରନ ଅଶ୍ୱିନ (୪୨ *) ୭୧ ରନର ଅପରାଜିତ ପାର୍ଟନରଶିପ୍ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଥିଲା । ୧୩ଟି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ୧୧ ତମ ବିଜୟ । ବାଂଲାଦେଶ ପ୍ରଥମ ବିଜୟର ସୁଯୋଗ ହାତଛଡ଼ା କରିଛି ।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନ୍ ସଂଗ୍ରହ କରିଥିଲା । ଏହି ଇଂନିସରେ ବାଂଲାଦେଶ ତରଫରୁ ମୋମିନୁଲ୍ ହକ୍ ସର୍ବାଧିକ ୮୪ ରନ୍ କରିଥିଲେ । ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ୪-୪ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୩୧୪ ରନ୍ ସଂଗ୍ରହ କରି ଭଲ ଅଗ୍ରଣୀ ହାସଲ କରିଥିଲା । ଭାରତ ପାଇଁ ଋଷଭ ପନ୍ତ ୯୩ ଓ ଶ୍ରେୟାସ ଆୟର ୮୭ ରନର ଇଂନିସ ଖେଳିଥିଲେ । ବାଂଲାଦେଶ ପାଇଁ ଶାକିବ ଅଲ ହାସନ ଓ ତାଇଜୁଲ ଇସଲାମ ୪-୪ଟି ୱିକେଟ୍ ନେଇଥିଲେ ।
ଦ୍ୱିତୀୟ ଇନିଂସ ଖେଳିବାକୁ ଆସି ବାଂଲାଦେଶ ୧୧୩ ରନରେ ୬ଟି ୱିକେଟ୍ ହରାଇଥିଲା ଓ ମ୍ୟାଚରେ ଭାରତର ସ୍ଥିତି ଅଧିକ ମଜବୁତ ହୋଇଥିଲା । ତେବେ ୭୩ ରନର ଇନିଂସ ଖେଳି ଲିଟନ୍ ଦାସ ନିଜ ଦଳକୁ ସମ୍ଭାଳି ଥିଲେ । ଲିଟନ୍ ଦାସଙ୍କୁ ନୁରୁଲ ହାସନ (୩୧) ତଥା ତସ୍କିନ୍ ଅହମ୍ମଦ (୩୧ *) ଙ୍କ ଠାରୁ ଭଲ ସାଥ୍ ମିଳିଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ୨୩୧ ରନ୍ ସଂଗ୍ରହ କରି ଜିତିବା ପାଇଁ ଭାରତକୁ ୧୪୫ ରନର ଟାର୍ଗେଟ ଦେଇଥିଲା । ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ତୃତୀୟ ଦିନରେ ୩୭ ସ୍କୋରରେ ୪ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଚତୁର୍ଥ ଦିନରେ ବାଂଲାଦେଶ ଚମତ୍କାର ଆରମ୍ଭ କରିଥିଲା ଓ ଭାରତକୁ ୩ ଝଟକା ଦେଇ ଟିମ୍ ଇଣ୍ଡିଆର ସ୍କୋରକୁ ୭୪/୭ କରିଦେଇଥିଲା । ଏହା ପରେ ଶ୍ରେୟାସ ଆୟର୍ ଓ ଆର୍ ଅଶ୍ୱିନ୍ ବୁଦ୍ଧିମାନ ଭାବରେ ବ୍ୟାଟିଂ କରି ୭୧ ରନର ଅପରାଜିତ ପାର୍ଟନରଶିପ୍ କରି ଭାରତକୁ ବିଜୟ ପ୍ରଦାନ କରିଥିଲେ । ମେହେଦି ହାସନ ମିରାଜ ବାଂଲାଦେଶ ପାଇଁ ୫ଟି ୱିକେଟ୍ ନେଇଥିଲେ ମଧ୍ୟ ତାଙ୍କ ଦଳ ଜିତିପାରିନଥିଲେ ।
