ଆଜି ଓ୍ୱାର୍ମ ଅପ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି। ଏଥିରେ ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚରେ ବୁଧବାର ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପାକିସ୍ତାନ ବିପକ୍ଷ ବହୁ ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ ବ୍ୟାଟିଂକ୍ରମକୁ ଚୂଡ଼ାନ୍ତ କରିବା ଲାଗି ଏହି ମ୍ୟାଚ୍ ଟିମ୍ ଇଣ୍ଡିଆକୁ ନିଶ୍ଚିତ ଭାବେ ଏକ ଭଲ ମଞ୍ଚ ପ୍ରଦାନ କରିବ । ଅବଶ୍ୟ ରୋହିତ ଶର୍ମା ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ବୋଲି ଅଧିନାୟକ କୋହଲି ପୂର୍ବରୁ ଘୋଷଣା କରିସାରିଛନ୍ତି।
ସେହିଭଳି ନିଜେ ତୃତୀୟ ସ୍ଥାନରେ ଖେଳିବେ ବୋଲି ମଧ୍ୟ କହିଛନ୍ତି କୋହଲି। ସେହି ଦୃଷ୍ଟିରୁ ବ୍ୟାଟିଂକ୍ରମର ଶୀର୍ଷ ୩ ସ୍ଥାନ ଲାଗି ଖେଳାଳି ଚୂଡ଼ାନ୍ତ ଆପାତତଃ ସରିସାରିଛି। ତେବେ ମଧ୍ୟକ୍ରମ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନକୁ ନେଇ କିଛିଟା ସଂଶୟ ଅଛି। ତେବେ ଅଲ୍ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା । ଇଂଲଣ୍ଡ ବିପକ୍ଷରେ ଖୁବ୍ କମ୍ ସମୟ ପାଇଁ କ୍ରିଜରେ ରହିଥିବା ହାର୍ଦିକ ସଂପ୍ରତି ବୋଲିଂ କରୁନଥିଲା ବେଳେ ତାଙ୍କୁ କେଉଁ ସ୍ଥାନରେ ଖଞ୍ଜାଯିବ ତାହା କୋହଲିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ବର କୁମାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୩ ୱିକେଟ୍ କରାୟତ୍ତ କରିଥିଲା ବେଳେ ଲେଗ୍ ସ୍ପିନର ରାହୁଲ ଚହର ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ । ସୂଚନା ଯେ, ଚଳିତ ବିଶ୍ୱକପର ଅଭ୍ୟାସ ପର୍ଯ୍ୟାୟକୁ ଦେଖିଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ନିଜ ନିଜ ପ୍ରଥମ ମ୍ୟାଚ୍ ଜିତିଛନ୍ତି। ଭାରତ ତା’ର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୭ ୱିକେଟ୍ ରେ ହରାଇଥିଲା। ସେହିଭଳି ଅଷ୍ଟ୍ରେଲିଆ ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ଜୋସ୍ ଇଙ୍ଗଲିସ୍ ଙ୍କ ଯୁଗଳ ଚୌକା ବଳରେ ୩ ୱିକେଟ୍ ରେ ପରାସ୍ତ କରିଥିଲା।
