ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-୨୦ ! ଜାଣନ୍ତୁ ପିଚର ପରିସ୍ଥତି ଓ କେତେଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ
ଅକଲ୍ୟାଣ୍ଡ : ଆଜି ଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଆରମ୍ଭ ହେବ। ଭାରତୀୟ ସମୟ ଦିନ ୧୨ଟାରୁ ଏହି ମ୍ୟାଚ ୱେଲିଙ୍ଗଟନ୍ର ସ୍କାୟ ଷ୍ଟାଡ଼ିୟମ୍ରେ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଉଭୟ ଦଳ ଏବେ ଟି-୨୦ ସିରିଜ୍ ଖେଳିବାକୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ନ୍ୟୁଜିଲ୍ୟାଣ୍ଡ ସେମିରେ ପାକିସ୍ତାନ ଠାରୁ ଓ ଭାରତ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ହାରିଥିଲା। ଭାରତୀୟ ଟିମ ଏହି ସିରିଜ୍ରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ତେଣୁ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ।
ନ୍ୟୁଜିଲାଣ୍ଡ୍ରେ ସବୁବେଳେ ହାଇସ୍କୋରିଂ ମୁକାବିଲା ହେଉଥିଲେ ମଧ୍ୟ ହାରାହାରି ଧାରା ଯେ ଜାରି ରହିବ ସେଥିରେ ଗ୍ୟାରେଣ୍ଟିଂ ନାହିଁ। ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ହେଉଛି ୧୬୨ ରନ୍। ତେବେ ୨୦ ମାସ ହେବ ସ୍କାଏ ଷ୍ଟାଡିୟମ୍ରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ। ୱେଲିଂଟନ୍ରେ ଶୁକ୍ରବାର ଦିନବେଳା ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମ୍ୟାଚ୍ ଆରମ୍ଭ ବେଳକୁ କୋହଲା ପାଗ ଓ ସ୍ବଚ୍ଛ ଆକାଶର ପୂର୍ବାନୁମାନ କରାଯାଇଛି।
ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ମୋଟ ୨୦ଟି ଟି-୨୦ ଅନ୍ତର୍ଜାତୀୟ ଖେଳାଯାଇଛି। ଭାରତ ୧୧-୯ରେ ଆଗୁଆ ରହିଛି। ୨୦୨୦ ଗସ୍ତରେ ଭାରତ ଶେଷ ଦୁଇ ମ୍ୟାଚ୍କୁ ସୁପର୍ ଓଭରରେ ଜିତିଥିଲା। ହାମିଲଟନ୍ର ସେଡନ୍ ପାର୍କ ଏବଂ ୱେଲିଂଟନ୍ର ସ୍କାଏ ଷ୍ଟାଡିୟମ୍ରେ ଏହି ଦୁଇ ମ୍ୟାଚ୍ ଖେଳାଯାଇଥିଲା। ସବୁଠାରୁ ମଜା କଥା ହେଲା ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତ ନିଜର ପ୍ରଥମ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ (୨୦୦୭-୨୦୧୬) ହାରିଥିଲା। ବିଶ୍ବକପ୍ରେ ଭାରତ ନିଜର ସମସ୍ତ ୩ ମ୍ୟାଚ୍ ହାରିଛି ଏହି ଦଳଠାରୁ। ୨୦୦୭ରେ ଜୋହାନ୍ସବର୍ଗରେ ୧୦ ରନ୍ରେ, ୨୦୧୬ରେ ନାଗପୁରରେ ୪୭ ରନ୍ରେ, ୨୦୨୧ରେ ଦୁବାଇରେ ୮ ୱିକେଟ୍ରେ ହାରିଥିଲା।
୨୦୧୯ ମସିହାରେ ୱେଲିଂଟନ୍ରେ ନ୍ୟୁଜିଲାଣ୍ଡ୍ ସ୍କୋର୍ କରିଥିବା ୨୧୯ ଭାରତ ବିପକ୍ଷରେ ଏହି ଦଳର ସର୍ବୋଚ୍ଚ ଦଳଗତ ସ୍କୋର୍ ହୋଇ ରହିଛି। ଦୁଇ ଦେଶ ମଧ୍ୟରେ ଏକମାତ୍ର ଟି-୨୦ ଶତକ ମାରିଛନ୍ତି କଲିନ୍ ମୁନରୋ (୫୮ ବଲ୍ରୁ ୧୦୯* ରନ୍, ରାଜକୋଟ, ୨୦୧୭)। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ରହିଛି ଶିଖର ଧାୱନ ଓ ରୋହିତ ଶର୍ମା (ପ୍ରତ୍ୟେକ ୮୦ ରନ୍)ଙ୍କ ନାମରେ। ୨୦୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଏହା ସେମାନେ ହାସଲ କରିଥିଲେ। ଉଭୟଙ୍କ ୧୫୮ ରନ୍ର ପ୍ରଥମ ୱିକେଟ୍ ଭାଗୀଦାରି ମଧ୍ୟ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତର ସର୍ବୋଚ୍ଚ। ମିଚେଲ୍ ସାଣ୍ଟନର୍ଙ୍କ ୪/୧୧ (ନାଗପୁର, ୨୦୧୬) ଭାରତ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ଏବଂ ବିଶ୍ବକପ୍ରେ ଶ୍ରେଷ୍ଠ ବୋଲିଂ ଚିତ୍ର। ଭାରତ ପାଇଁ ଶ୍ରେଷ୍ଠ ବୋଲିଂ ଚିତ୍ର ଅକ୍ଷର ପଟେଲ୍ଙ୍କ ନାମରେ ରହିଛି।
ଭାରତ ସମ୍ଭାବ୍ୟ ଏକାଦଶ : ଈଶାନ କିଶାନ, ଶୁବମନ ଗିଲ୍, ଶ୍ରେୟସ ଆୟର/ସଞ୍ଜୁ ସାମସନ୍/ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍/ଉମ୍ରାନ୍ ମଲ୍ଲିକ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ଏକାଦଶ : ଫିନ୍ ଆଲେନ୍ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), କେନ୍ ୱିଲିୟମସନ୍ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍, ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି, ଈଶ ସୋଢ଼ି, ଆଦାମ ମିଲନେ, ଲୋକି ଫର୍ଗୁସନ୍।
