ମୋଦୀ ମୋର ଖାସ ଦୋସ୍ତ : ଜନସନ
ଭାରତ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ : ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଶୁକ୍ରବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପାଛୋଟି ନେଇଥିଲେ । ଭବ୍ୟ ସମ୍ବର୍ଦ୍ଧନା ପରେ ବୋରିସ ଜନସନ କହିଛନ୍ତି, ଏହିପରି ଭବ୍ୟ ଓ ପରମ୍ପରାଗତ ସ୍ୱାଗତ ସେ ପୂର୍ବରୁ ଦେଖି ନାହାଁନ୍ତି । ଶୁକ୍ରବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି,ମୋଦୀ ମୋର ଖାସ ଦୋସ୍ତ । ଆଜିର ସମୟରେ ବ୍ରିଟେନ ଓ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୋରିସ୍ ଜନସନ୍ ଭାରତକୁ ପ୍ରଂଶସା କରି କହିଛନ୍ତି, ଭାରତ ଆଜି ଦୁନିଆର ଫାର୍ମାସିରେ ପରିଣତ ହୋଇଛି । ମୋ ବାହୁରେ ଲାଗିଥିବା କରୋନା ଟିକା ମଧ୍ୟ ଏଠାରୁ ଆସିଛି । ଏହା ମୋତେ ସୁସ୍ଥ ରଖିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି. ୟୁକ୍ରେନ ସଙ୍କଟରେ ତୁରନ୍ତ ଯୁଦ୍ଧବିରାମ ଓ ସମାଧାନ ପାଇଁ ପରସ୍ପର ମଧ୍ୟରେ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ଆମେ ସମସ୍ତ ଦେଶର ଆଂଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନର ଗୁରୁତ୍ୱକୁ ମଧ୍ୟ ଦୋହରାଇଛୁ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଏବଂ ବ୍ରିଟେନ ମଧ୍ୟରେ ଜଳବାୟୁ ଏବଂ ଶକ୍ତି ସହଭାଗୀତାକୁ ଆହୁରି ଗଭୀର କରିବାକୁ ନିଷ୍ପତି ନିଆଯାଇଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଆମର ସହଯୋଗକୁ ଆଗକୁ ବୃଦ୍ଧି କରିବା ସହ ମୁକ୍ତ ବାଣିଜ୍ୟ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ଜନସନ ଏବଂ ତାଙ୍କ ପ୍ରତିନିଧୀଦଳଙ୍କୁ ସ୍ୱାଗତ କରୁଛି । ଯଦିଓ ଏହା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତ, କିନ୍ତୁ ଜଣେ ପୁରୁଣା ବନ୍ଧୁ ଭାବରେ ଭାରତକୁ ବହୁତ ଭଲ ଭାବରେ ଜାଣନ୍ତି । ଏହି ସମୟରେ ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଜନସନଙ୍କ ଏଠାରେ ପହଂଚିବା ଐତିହାସିକ ମୁହୂର୍ତ । ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି ।
ଅନ୍ୟପଟେ ଆସନ୍ତା ଦୀପାବଳି ଯାଏଁ ଏକ ମୁକ୍ତ ବାଣିଜ୍ୟ ବୁଝାମଣାକୁ ଶେଷ କରିବା ପାଇଁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି । ଦୁନିଆରେ ବଦଳୁଥିବା ଭୂ-ରାଜନୈତିକ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ ଏକ ନୂତନ ଏବଂ ବ୍ୟାପକ ପ୍ରତିରକ୍ଷା ସହଭାଗୀତା ଉପରେ ସହମତି ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏକ ମୁକ୍ତ ବାଣିଜ୍ୟ ବୁଝାମଣା(ଏଫଟିଏ)କୁ ଚୂଡାନ୍ତ ରୂପ ଦେବାକୁ ନିଷ୍ପତି ନେଇଛନ୍ତି । ଦୁଇ ନେତା ରୋଡ ମ୍ୟାପ୍ ୨୦୩୦ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସବୁ ଦିଗରୁ ସମୀକ୍ଷା କରୁଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନରେ ସାମିଲ ହେବା ପାଇଁ ବ୍ରିଟେନକୁ ଆମନ୍ତ୍ରଣ କରିଛନ୍ତି ।
