ତେଲଦର ବୃଦ୍ଧିରେ ଲାଗୁନି ବ୍ରେକ୍, ଲିଟର ପିଛା ୩୫ ପଇସା ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦୁଇ ଦିନର ବ୍ୟବଧାନ ପରେ ପୁଣି ଇନ୍ଧନ ମୂଲ୍ୟରେ ବୃଦ୍ଧି କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହାସହ ଦେଶର ଅନେକ ସ୍ଥାନରେ ନୂଆ ରେକର୍ଡ ଦାମରେ ପହଞ୍ଚିଛି ଦର ।
ଭାରତୀୟ ପେଟ୍ରୋଲିୟମ କମ୍ପାନୀ ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ମଧ୍ୟ ୩୫ ପଇସା ବୃଦ୍ଧି ପାଇଛି । କେବଳ ଅକ୍ଟୋବରରେ ଏବେସୁଦ୍ଧା ପେଟ୍ରୋଲ ୩ ଟଙ୍କା ୮୫ ପଇସା ମହଙ୍ଗା ହେଲାଣି । ଡିଜେଲରେ ମଧ୍ୟ ୪ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୯ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୨ ପଇସା ରହିଛି। କୋଲକାତାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୬ ଟଙ୍କା ୧୦ ପଇସା ଥିବା ବେଳେ ଡିଜେଲ ଦର ୯୭ ଟଙ୍କା ୩୩ ପଇସା ରହିଛି। ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୧ ଟଙ୍କା ୪୩ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୧୦୨ ଟଙ୍କା ୧୫ ପଇସା ରହିଛି। ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ୧୦୨ ଟଙ୍କା ୮୦ ପଇସା ଏବଂ ଡିଜେଲ ୯୮ ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି। ଭାବନେଶ୍ବରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୪୨ ପଇସା ଓ ପେଟ୍ରୋଲ ମୂଲ୍ୟ ୧୦୨ ଟଙ୍କା ୭୭ ପଇସା ଥିବା ବେଳେ କଟକରେ ପେଟ୍ରୋଲ ୧୦୬ ଟଙ୍କା ୯୯ ପଇସା ଓ ଡିଜେଲ ମୂଲ୍ୟ ୧୦୩ ଟଙ୍କା ୩୨ ପଇସାକୁ ବୃଦ୍ଧି ପାଇଛି।
