ପୁରୀରେ ନକଲି ଔଷଧ କାରବାର ବୃଦ୍ଧି ଡ୍ରଗ୍ସ ଇନ୍ସପେକ୍ଟର ନିଘୋଡ଼ ନିଦ୍ରାରେ
ପୁରୀ ଅଫିସ : ବିଶ୍ୱ ପର୍ଯ୍ୟଟନ ସହର ପୁରୀରେ ଗତ କିଛି ମାସ ହେଲାଣି ବିଭିନ୍ନ ଔଷଧ ଦୋକାନରେ ନକଲି ଓ ବେନାମୀ କମ୍ପାନୀର ଔଷଧ ବିକ୍ରି ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଔଷଧ ଦୋକାନରୁ ଅଧିକ ଦାମ ଦେଇ ଔଷଧ କିଣି ରୋଗୀ ସେବନ କରୁଥିଲେ ମଧ୍ୟ ରୋଗ ଭଲ ହେଉନଥିବା ପରିଲକ୍ଷିତ ହେଉଛି । ସହରରେ ଥିବା ଶତଧିକ ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଚଢାଉ ହେଉନଥିବାରୁ କେତେକ ଦୋକାନରେ ନକଲି ଔଷଧ ଓ ନିଶା ଔଷଧ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି । ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଔଷଧ ଦୋକନି ମାସକୁ ମାସ ଦେଖା କରି ଖୁସି କରାଉଥିବାରୁ ଦୋକନକୁ ଚେକିଂ କରୁନଥିବା ଚର୍ଚ୍ଚା ହେଉଛି । ସେହିପରି କେତେକ ଦୋକାନରେ କିଣୁଥିବା ଔଷଧ ତାଲିକା ବାଦ୍ ଅନ୍ୟ ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଅନେକ ଦୋକାନରେ ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟ ଝୁଲାଇ ଅଣ ଫାର୍ମାସିଷ୍ଟ ଔଷଧ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଔଷଧ ଗୁଡ଼ିକୁ ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖିବା ନିୟମ ଥିବାବେଳେ ଖର ପଡ଼ୁଥିବା ଔଷଧ ରଖୁଥିବାରୁ ତାହାର ଗୁଣବତା କାମ ଦେଉନି ବୋଲି ରୋଗୀମାନେ କହୁଛନ୍ତି । ଔଷଧ ଦୋକାନି ମାଲିକ ଓ ଡ଼ିଆଇଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାରୁ ସହରରେ ନକଲି ଔଷଧ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହା ସହ କେତେକ ନାମୀଦାମୀ କମ୍ପାନୀର ନାମ ଥାଇ ଷ୍ଟ୍ରିପ୍ ଆସୁଥିଲେ ମଧ୍ୟ ଭିତରେ ପ୍ରଭାବଶୂନ୍ୟ ବଟିକା ରହୁଥିବା ଆଲୋଚନା ହେଉଛି । କୋରେକ୍ସ, ନିଦ ବଟିକା ଓ ଅନ୍ୟାନ୍ୟ ମାରାତ୍ମକ ବଟିକା ଚୋରାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଖୁବ ଶୀଘ୍ର ଏକ ଟିମ୍ ପ୍ରତି ଔଷଧ ଦୋକାନରେ ଚଢାଉ କରିବା ପାଇଁ ସାଧାରଣରେ ଦାବି ହେଉଛି ।
