ଟିକସ ଫାଙ୍କିବା ଅଭିଯୋଗରେ ହୁୱେଇରେ ଚଢ଼ାଉ କଲା ଆୟକର ବିଭାଗ
FILE PHOTO: A view shows a Huawei logo at Huawei Technologies France headquarters in Boulogne-Billancourt near Paris, France, February 17, 2021. REUTERS/Gonzalo Fuentes/File Photo
ନୂଆଦିଲ୍ଲୀ : ଏବେ ଆୟକର ବିଭାଗର ନଜର ପଡିଛି ଚାଇନିଜ ଟେଲିକମ କମ୍ପାନୀ ଉପରେ । ଚାଇନିଜ ଟେଲିକମ କମ୍ପାନୀ ହୁୱେଇ ଉପରେ ଟିକସ ଫାଙ୍କିବାର ଆରୋପ ଲଗାଇଛି ଆୟକର ବିଭାଗ । ଏନେଇ କମ୍ପାନୀର ବିଭିନ୍ନ ଅଫିସ ଗୁଡିକରେ ରେଡ କରିଛି ଆୟକର ବିଭାଗ । ବିଭାଗର ଅଧିକାରୀମାନେ ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ହରିୟାଣାର ଗୁରୁଗ୍ରାମରେ ଥିବା ଅଫିସ ଗୁଡିକରେ ଚଢ଼ାଉ ଜାରି ରହିଛି ।
ସୂଚନା ଅନୁସାରେ, କମ୍ପାନୀ କୋଟି କୋଟି ଟଙ୍କାର ଟିକସ ଫାଙ୍କିବା ନେଇ ଅଭିଯୋଗ ରହିଛି । ଏଥିପାଇଁ ଆୟକର ବିଭାଗ ତରଫରୁ କମ୍ପାନୀର ଆକାଉଣ୍ଟ ବହି,ଫାଇନାନସିଆଲ ରେକର୍ଡ,ଏବଂ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରୁଛି । ହୁୱେଇ କମ୍ପାନୀର ଭାରତ ଏବଂ ଭାରତ ବାହାରେ ହୋଇଥିବା ଟ୍ରାଞ୍ଜାକ୍ସନ ମଧ୍ୟ ଯାଞ୍ଚ କରୁଛି ଆୟକର ବିଭାଗ । ଚଢ଼ଉ ବେଳେ କମ୍ପାନୀର କାଗଜପତ୍ର କିଛି ଜବତ କରିଛି ଆୟକର ବିଭାଗ । ଅପରପକ୍ଷରେ ରେଡକୁ ନେଇ ହୁୱେଇ ପକ୍ଷରୁ ବିବୃତି ଜାରି କରାଯାଇଛି ।
ଏଥିରେ କୁହାଯାଇଛି ଯେ “ଆୟକର ବିଭାଗର ଅଧିକାରୀମାନେ ଆମ ଅଫିସକୁ ଆସିଛନ୍ତି ଓ ଆମ ଅଧିକାରୀଙ୍କ ସହ ବୈଠକ କରିଥିବା ଖବର ଆମେ ପାଇଛୁ । ହୁୱେଇ ସବୁବେଳେ ଭାରତରେ ପ୍ରଚଳିତ ଆଇନ ଓ ନିୟମ ଅନୁସାରେ କାର୍ଯ୍ୟ କରି ଆସିଛି । ଆଗକୁ ମଧ୍ୟ କମ୍ପାନୀ ଏହା ଜାରି ରଖିବ । ଆମେ ସରକାରୀ ବିଭାଗ ସହ ଯୋଗାଯୋଗ କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛୁ । ଏଥିସହ ଆଗକୁ ସରକାରୀ ନିୟମ ଅନୁସାରେ ତଦନ୍ତର ସବୁ କ୍ଷେତ୍ରରେ ସହଯୋଗ ମଧ୍ୟ କରିବୁ।” ଗତବର୍ଷ ସମାନ ଅଭିଯୋଗରେ ଚାଇନିଜ କମ୍ପାନୀ ସାଓମି,ଓପ ଓ ଏହା ସହ ଜଡ଼ିତ କମ୍ପାନୀ ଗୁଡ଼ିକରେ ଚଢ଼ଉ କରିଥିଲା ଆୟକର ବିଭାଗ ।
