ହଷ୍ଟେଲରେ ଝିଅକୁ ଦୀପାବଳି ମିଠା ଦେଇ ଫେରିବା ବେଳେ ଅଘଟଣ : ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ସାହସବଗା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ଦୁର୍ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି। ମୃତ ଦମ୍ପତିଙ୍କ ନାମ ରାମକୃଷ୍ଣ ସା ଓ ସରିତା ସା। ସେମାନେ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସାପାଲି ଗ୍ରାମରବାସିନ୍ଦା।
ସୂଚନା ଯେ, ଆଜି ଉଭୟ ସ୍ବାମୀ-ସ୍ତ୍ରୀ ନିଜ ବାଇକ (ଓଡ଼ି୨୩ ଏଲ-୪୭୨୩)ରେ ଝିଅ ପଢ଼ୁଥିବା କତରବଗା ସ୍କୁଲକୁ ଦେଖାକରିବାକୁ ଯାଇଥିଲେ। ସେଠାରେ ଦୀପାବଳି ପାଇଁ ନେଇଥିବା ମିଠା ଆଦି ଝିଅକୁ ଦେବାପରେ ଘରକୁ ଫେରିଥିଲେ। ଝାରସୁଗୁଡ଼ା ପଟୁ ରାୟଗଡ଼ ଦିଗରେ ବିପରୀତ ପଟୁ ଆସୁଥିବା ଟ୍ରକ (ସିଜି ୧୩ଏସି ୫୦୯୯) ଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଓ ଗାଡି ମାଲିକ ଘଟଣାସ୍ଥଳକୁ ଡାକି କଥାବାର୍ତ୍ତା କରିବା ସହିତ ଅନ୍ୟାନ୍ୟ ଦାବି ନେଇ ରାସ୍ତା ରୋକ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ରାସ୍ତା ଉପରେ ୨ଟି ଶବ ପଡିରହିଛି। ଖବର ପାଇ ରେଙ୍ଗାଲି ଥାନା ପୁଲିସ ସହିତ ଥାନା ଅଧିକରି ସାରଙ୍ଗ ପାଣିଗ୍ରାହୀ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ଆଦି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରୋକ ହଟାଇବା ପାଇଁ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
