ଦମନ ପ୍ରୋମସନ ବେଳେ ଘଟିଲା ଅଘଟଣ ! ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହେଲେ ବାବୁସାନ
ଭୁବନେଶ୍ୱର: ଲୋକାଲ ଟୋକା ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ଅଭିନେତା ବାବୁସାନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରାୟ ୫ ଦିନ ପରେ ଘଟଣା ସାମନାକୁ ଆସିଛି। ଦମନ ଅଭିନେତା ଅସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରସାରଣ ହେବା ସହ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ବାବୁସାନ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଲଦାଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ନେଇ ସୂଚନା ମିଳିଛି।
ଖବର ଅନୁସାରେ, ଲଦାଖ ଗସ୍ତ ବେଳେ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ହୋଇଥିଲେ। ତାଙ୍କ ଆଗାମୀ ଫିଲ୍ମ ଦମନର ପ୍ରୋମସନ ପାଇଁ ସେ ସେଠାରେ ବାଇକ୍ ରାଇଡିଂ କରିଥିଲେ। ପ୍ରାୟ ୧୮୦ କିଲୋମିଟର ବାଇକ୍ ଚଳାଇବା ପରେ ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଭିନେତାଙ୍କୁ ଭୁବନେଶ୍ୱର ଅଣାଯାଇଛି। ୫ରୁ ୬ ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ବାବୁସାନଙ୍କ ଚିକିତ୍ସା ଚାଲିଛି। ଏକ ଛଅ ଜଣିଆ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଲଦାଖରେ ରାଇଡିଂ ବେଳେ ବାବୁସାନଙ୍କର ଅମ୍ଳଜାନ ସ୍ତର କମି ଯାଇଥିବା କୁହାଯାଉଛି। ତାଙ୍କର ସ୍ୱାସ୍ଥ୍ୟାରେ ଧୀରେ ଧୀରେ ସୁଧାର ଆସୁଛି। ଅଭିନେତା ବର୍ତ୍ତମାନ ସୁସ୍ଥ ଥିବା କୁହାଯାଉଛି। ବାବୁସାନଙ୍କ ଅସୁସ୍ଥତା ନେଇ ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ନିଜ ପ୍ରିୟ ଅଭିନେତା ଗୁରୁତର ହୋଇ ହସ୍ପିଟାଲରେ ପଡିଥିବା ଖବର ଶୁଣି ଫ୍ୟାନ୍ସମାନେ ଆଚମ୍ବିତ ହୋଇଯାଇଛନ୍ତି। ବାବୁଶାନ ଖୁବଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଫ୍ୟାନ୍ସମାନେ ପ୍ରାର୍ଥନା କରୁଛନ୍ତି। ତେବେ ପ୍ରକୃତରେ ଘଟଣା କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
ସୂଚନା ଯେ, ସେପ୍ଟେମ୍ବର ୩୦ ତାରିଖରେ ବାବୁସାନ ମହାନ୍ତିଙ୍କ ଅଭିନିତ ଦମନ ଫିଲ୍ମ ରିଲିଜ ହେବ। ଅଭିନେତା ଏହି ଫିଲ୍ମର ପ୍ରୋମସନରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଛି। ଦମନ ଏକ ସତ ଘଟଣା ଉପରେ ଆଧାରିତ। ଫିଲ୍ମରେ ମାଲିକାନଗିରିର ସ୍ୱାସ୍ଥ୍ୟସେବା ଓ ଜଣେ ଡାକ୍ତରଙ୍କ କର୍ତ୍ତବ୍ୟବୋଧକୁ ପ୍ରାଞ୍ଜଳ ଭାବେ ଦେଖାଯାଇଛି। ପ୍ରଥମ ଥର ପାଇଁ କୌଣସି ଓଡିଆ ଫିଲ୍ମକୁ ଫକିର ମୋହନ ମେଡିକାଲ କଲେଜରେ ପ୍ରୋମସନ କରାଯାଇଛି। ସେପଟେ ଅଭିନେତାଙ୍କ ଘରୋଇକଳିର ସମାଧାନ ହୋଇନାହିଁ। ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀ ତୃପ୍ତି ଘର ଛାଡି ବାପଘରକୁ ଚାଲିଯାଇଛନ୍ତି।
