‘ହଲଦୀ ରସମ’ ବେଳେ ଅଘଟଣ! କୂଅରେ ଖସି ପଡି ୧୩ ମୃତ
ଲକ୍ଷ୍ନୌ: ‘ହଲଦୀ ରସମ’ ବେଳେ ଅଘଟଣ, କୁଅରେ ପଡି ୨ ଶିଶୁ ସମେତ ୧୩ ମୃତ। ଉତ୍ତର ପ୍ରଦେଶର କୁଶୀନଗରରେ ଏକ କୂଅ ଭୁଶୁଡ଼ି ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ଏହି ହୃଦୟ ବିଦାରକ ଘଟଣାଟି ନବୁଆ ନୌରଙ୍ଗିଆ ପୋଲିସ ଷ୍ଟେସନ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି।
ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ନବୁଆ ନୌରଙ୍ଗିଆ ପୋଲିସ ଷ୍ଟେସନ ଅଞ୍ଚଳର ଏକ ବିବାହ ଉତ୍ସବରେ ମହିଳା ଓ ଝିଅମାନେ କୂଅ ଉପରେ ଠିଆ ହୋଇଥିଲେ। ତେବେ ଅତ୍ୟାଧିକ ଓଜନ ହେବାକୁ ହଠାତ୍ କୂଅରେ ଥିବା ଲୁହା ଜାଲି ଭାଙ୍ଗିଗଲା ଏବଂ ମହିଳାମାନେ କୁଅ ଭିତରେ ପଡ଼ିଗଲେ। ଏଥିରେ ଦୁଇ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୂଅରୁ ୧୧ ଜଣଙ୍କ ମୃତଦେହ ବାହାର କରିଥିଲେ। ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଶାସନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି। ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି। ନୌରଙ୍ଗିଆ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଖବର ପାଇବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟର୍ରେ ଉଲ୍ଲେଖ ଅଛି ଯେ, ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ ଅଭିଯାନ ବ୍ୟବସ୍ଥା କରିବା ଲାଗି ସେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହିତ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି। ପରେ ଗୋରଖପୁର ଜୋନ୍ ‘ଡିଜିପି’ ଅଖିଳ କୁମାର ଗଣମାଧ୍ୟମକୁ କହିଛନ୍ତି, ସମ୍ପ୍ରତି ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଘଟଣାଟି ଗତରାତି ପ୍ରାୟ ୮.୩୦ରେ କୁଶୀନଗର ଜିଲ୍ଲାର ନେବୁଆ ନୌରଙ୍ଗିଆରେ ଘଟିଥିଲା। ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉକ୍ତ ଘଟଣାରେ ଶୋକବ୍ୟକ୍ତ କରି କହିଛନ୍ତି, ଉତ୍ତର ପ୍ରଦେଶର କୁଶୀନଗରରେ ହୋଇଥିବା ଅଘଟଣ ହୃଦୟବିଦାରକ। ଏଥିରେ ଯେଉଁ ଲୋକମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିଲା, ତାଙ୍କର ପ୍ରିୟପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା। ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି। ଶୋକବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ଫଣ୍ଡ୍ରୁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
