ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ଉଦ୍ଯାପିତ
ଯାଜପୁର : ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମେଳାର ଉଦ୍ଯାପନୀ ସନ୍ଧ୍ୟା ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ଉଦ୍ଘାଟକ ଭାବେ ଯୋଗଦେଇ ମା ବିରଜାଙ୍କ ଫଟୋ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପଣ୍ଡିତ ଅଦ୍ୱୈତ ପ୍ରସାଦ ମିଶ୍ରସ୍ତୋତ୍ର ପାଠ କରିଥିବାବେଳେ ସାଂସ୍କୃତିକ ସଂପାଦକ ପାଣ୍ଡବ ଚରଣ ସାହୁ ସ୍ୱାଗତ ଭାଷଣ ଓ ଉପସଭାପତି ବିଭୂତି ଭୂଷଣ ମହାପାତ୍ର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର ପୁସ୍ତକ ମେଳାର ବିବରଣୀ ପାଠ କରିଥିଲେ । ବିଶିଷ୍ଟ ନାଟ୍ୟକାର ଡାକ୍ତର ରାଜ କିଶୋର ପଣ୍ଡାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମଧ୍ୟରେ ସାହିତ୍ୟ, କଳା, ସଂସ୍କୃତି ଓ ନାଟକର ପରିକଳ୍ପନା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧାନମନ୍ତ୍ରୀ ଦପ୍ତରର ଓଡ଼ିଶା ଭାଷା ଅନୁବାଦକ ତଥା ବିଶିଷ୍ଟ ଲେଖକ ଡଃ ଆଜାଦ ରାୟ ଯୋଗଦେଇ ବହିଟିଏ କିନ୍ତୁ ଏବଂ ତାକୁ ପଢ଼ନ୍ତୁ, ତାହା ମଧ୍ୟରେ ଥିବା ସୃଜନଶୀଳତାକୁ ଉପଲବ୍ଧି କରନ୍ତୁ ବୋଲି ପ୍ରକାଶ କରିଥିଲେ । ଉଦ୍ଘାଟକ ଶ୍ରୀଗିରି ଯୋଗଦେଇ ପୁସ୍ତକ କେବଳ ଜ୍ଞାନ ପ୍ରଦାନ କରେ ନାହିଁ ତାହା ଜଣେ ଅମଣିଷ କୁ ସୁମଣିଷରେ ରୂପାନ୍ତରିତ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ତହସିଲଦାର ପ୍ରଗତିକା ବଳ, ସାମ୍ବାଦିକ ଘନ ପରିଡା, ନାଥସାହି କଲେଜର ଅଧ୍ୟକ୍ଷ ଅଶୋକ କୁମାର ଦାଶ ଯୋଗଦେଇ ପୁସ୍ତକ ମେଳା କବି ଲେଖକ, ପାଠକ, ପ୍ରକାଶକ, କ୍ରେତା ଓ ବିକ୍ରେତା ମାନଙ୍କରେ ସଂପର୍କର ସମନ୍ୱୟ ଓ ସେତୁ ପ୍ରତିଷ୍ଠା କରିଥାଏ ବୋଲି ପ୍ରକାଶ କରିଥିଲେ । ସୋନାଲିସା ଥାଟୋଇ ଓ ଆରାଧ୍ୟା ପଣ୍ଡା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଇନଟାକ୍ ପକ୍ଷରୁ ପ୍ରତ୍ୟହମୁକ୍ତ କ୍ୱିଜ୍ ପ୍ରତିଯୋଗିତାରେ ଅମୂଲ୍ୟ କୁମାର ସାହୁ, ସୌରଭ କୁମାର ସାହୁ, ରିତେଶ କୁମାର ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଓ ସୁରଞ୍ଜନ ରାଉତ ସାନ୍ତ୍ୱନା ମୂଳକ ସ୍ଥାନ ଅଧିକାରକରି ଇନ୍ଟାକ୍ ଓ ମଧୁସୁଦନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ ହୋଇଥିଲେ । ପ୍ରଫେସର ଉଦୟ ନାରାୟଣ ପରିଡା, ଅଧ୍ୟକ୍ଷ ଡଃବିନୋଦ ଚନ୍ଦ୍ର ନାୟକ, ଅନିଲ କୁମାର ମହାନ୍ତି, ବଳରାମ ମହାନ୍ତି, ମଳୟ କୁମାର ଜେନ, ଅଧ୍ୟାପକ ସୁଧାଂଶୁ ଶେଖର ରଥ, ଗିରିଶ ମିଶ୍ର ପ୍ରମୁଖକ୍ୱିଜ୍ ପରିଚାଳନା କରିଥିଲେ । ସର୍ବଶ୍ରୀ ନବକିଶୋର ଦାସ , ସାମ୍ବାଦିକ ତପନ କୁମାର ମହାରଣ୍ୟ, ଡଃ ଅକ୍ଷୟ କୁମାର ପଣ୍ଡା, ବିଜୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆହ୍ୱାନର କଳାକାରମାନେ ବିଶ୍ୱଜିତ୍ ସାହୁଙ୍କ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ନାଟକ ଗାନ୍ଧି ଛକ ପରିବେଷଣ କରିଥିଲେ । ସଂଯୋଜକ ଆଦିତ୍ୟ ମହାନ୍ତି ସମସ୍ତ କାର୍ଯ୍ୟ ସଂଚାଳନ କରିଥିଲେ । ସଂଗଠନ ସଂପାଦକ ହୃଷିକେଶ ପତି ଧନ୍ୟବାଦ ଅର୍ପଣ କରିଥିଲେ ।
