ଲଗାଣ ବର୍ଷାରେ ପୌରସଂସ୍ଥାର ତଳିଆ ଅଞ୍ଚଳ ଜଳାର୍ଣ୍ଣବ
କେନ୍ଦ୍ରାପଡା : ଚାରିଦିନର ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡା ପୌରସଂସ୍ଥା ଅଧିନସ୍ଥ ନସଡିପୁର, କଜଳା, ମହିପାଳ, ଖଡିଅଙ୍ଗ, ଟାଉନବଳରାମପୁର, କନିଆଯୋରୀ, ରଣପଡା, ଜଇପୁରା, ନିୟୁ କଲୋନୀ, ସୁନାଇଲୋ(ଆଂଶିକ), ଦିଲାରପୁର, ଗୋପ, ଅଯୋଧ୍ୟାନଗର, ମୀରପାଟଣା, ଗଉଡଗୋପ ପ୍ରଭୃତି ୱାର୍ଡରେ ବର୍ଷାଜଳ ଜମି ରହିବା ଫଳରେ ୱାର୍ଡର ବାସିନ୍ଦାମାନେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ସବୁଠାରୁ ବେଶୀ ଅସୁବିଧା ହେଉଛି ଇଣ୍ଡିଆନ ତେଲଟାଙ୍କିଠାରୁ ନେଚର୍ସ କ୍ଲବ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ଖାଲଖମାପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ସେହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡିଛି । ସେହି ରାସ୍ତାର ନବୀକରଣ ପାଇଁ ପୌର ନିର୍ବାଚନ ପୂର୍ବରୁ ଟେଣ୍ଡର ଆହ୍ୱାନ କରାଯାଇ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । କିନ୍ତୁ ସେ କାର୍ଯ୍ୟାଦେଶ ନେଇ କାମ ନକରିବାରୁ ସେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି । ଏ ସମ୍ପର୍କରେ ବାରମ୍ବାର ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ପୌରପାଳିକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ରାସ୍ତାର ନବୀକରଣ ଦିଗରେ କୌଣସି ଉଦ୍ୟମ ନହେବାରୁ ୱାର୍ଡବାସୀ ଅସୁବିଧାରେ ଅଛନ୍ତି ।
