କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ; ତୃତୀୟ ଲହରରେ ଓଡ଼ିଶାର ୯୨ହଜାର ଶିଶୁ ହେବେ ଆକ୍ରାନ୍ତ
ଭୁବନେଶ୍ୱର : ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ହେବେ। କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡ଼ିଶାରେ ଦୈନିକ ସଂକ୍ରମଣ ପ୍ରାୟ ୧୯ହଜାର ୨୭୮ ଛୁଇଁପାରେ । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ତୃତୀୟ ଲହରରେ ଓଡ଼ିଶାର ପ୍ରାୟ ୯୧ହଜାର ୯୫୩ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ଏଥିମଧ୍ୟରୁ ୪ ହଜାର ୫୯୮ ଶିଶୁ ଗୁରୁତର ହେବାର ଆଶଙ୍କା ରହିଛି । ଏଭଳି ଆକଳନ କରାଯାଇଛି । ଏଣୁ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି।
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ। ଏନେଇ କେନ୍ଦ୍ର ସରକାରଙ୍କ କୋଭିଡ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍ଥ ସିଷ୍ଟମ ପ୍ରିପେୟାର୍ଡନେସ- ଇସିପିଆର ଫେଜ- ଟୁ ଏହି ସମ୍ଭାବ୍ୟ ଚିତ୍ର ନେଇ ଆକଳନ କରିଛି। ଏପରିକି ତୃତୀୟ ଲହରରେ ୭୫ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୭ ଲକ୍ଷ ୬୬ ହଜାର ୨୭୫ କରୋନା ମାମଲା ଆସିବ ବୋଲି ଆକଳନ କରାଯାଇଛି। କେନ୍ଦ୍ରର ଏଭଳି ସତର୍କବାଣୀ ପରେ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର । ଏହି ସମୟରେ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ। ୩ ପ୍ରତିଶତଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅର୍ଥାତ ୨୨ ହଜାର ୯୮୮ ଆଇସିୟୁ ବେଡ୍ ଏବଂ ୫ ପ୍ରତିଶତ ଅର୍ଥାତ ୩୮ ହଜାର ୩୧୪ ଜେନେରାଲ ବେଡ ଆବଶ୍ୟକ ହୋଇପାରେ ବୋଲି କୁହାଯାଇଛି। କରୋନାର ଦ୍ୱିତୀୟ ଲହର ବେଳେ ମେ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ସଂକ୍ରମଣ ମାମଲା ଆସିଥିଲା।
