ମଧ୍ୟାହ୍ନ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ
ପୁରୀ : ଆଜି ହାଠତ୍ ମଧ୍ୟାହ୍ନରେ ଦେଖାଦେଲା କଳା ବାଦଲ । ବିଜୁଳି ଘଡ଼ଘଡ଼ି ସାଇଁ ସାଇଁ ମାରିଲା । ସଙ୍ଗେ ସଙ୍ଗେ ପ୍ରବଳ ବେଗରେ ଭୁଷୁ ଭୁଷୁ ହୋଇ ମୁଷଳଧାରାରେ ବର୍ଷା ହେବାରୁ ବଡ଼ଦାଣ୍ଡର ଉଠାଦୋକାନିମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ମନ୍ଦିର ପଛପଟ ବାସେଳି ସାହି ଗଡ଼ନ୍ତି ଚକରୁ ପାଣି ଗଡ଼ି ଲକ୍ଷ୍ମୀ ବଜାର ଦେଇ ବଡ଼ଦାଣ୍ଡରେ ପ୍ରବେଶ କରିବାରୁ ହଠାତ ବଡ଼ଦାଣ୍ଡର ପାଣି ଫୁଲି ଉଠିଥିଲା । ଡ଼୍ରେନରୁ ପାଣି ବଡ଼ଦାଣ୍ଡକୁ ପ୍ରବେଶ ହୋଇଥିଲା । ଜୈନିକ ମାଳିଆ ପସରା ଦୋକାନିର କଣ୍ଡେଇ, ମାଳି ଓ ଫୁଲରି ପସରା ଭାସିଯାଇଥିଲା । ସେହିପରି ଅନେକ ଦୋକାନିଙ୍କ ଅବସ୍ଥା ବେହାଲ ହୋଇପଡ଼ିବାରୁ ଯିଏ ଯୁଆଡ଼େ ଜିନିଷପତ୍ର ଧରି ଦଉଡ଼ିଥିବା ଦେଖିବାକୁ ମିଳିଥିଲା । ବଡ଼ଦାଣ୍ଡରେ ଉଠାଦୋକାନିଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥ।। ହୋଇନଥିବାରୁ ସେମାନେ ସବୁବେଳେ ବିକଳ ପରିସ୍ଥିତର ସମ୍ମୁଖୀନ ହେଉଥିବା ଦୃଷ୍ଟି ଗୋଚର ହେଉଛି । ମାସକ ପାଇଁ ହବିଷ୍ୟାଳି ପୁରୀକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ୬ମହଲା କୋଠ, କମଳ ଓ ସାଲ ପ୍ରଦାନ ସହ ମହାପ୍ରସାଦ ସେବନ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିବା ବେଳେ ଉଠାଦୋକାନିଙ୍କ ଅବସ୍ଥା ବର୍ଷକ ଯାକ ସୁଧୁରିନାହିଁ । ହବିଷ୍ୟାଳିମାନେ ମହାପ୍ରସାଦକୁ ଚାହିଁ ଚାହିଁ ଓଦା ହୋଇ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ବଡ଼ଦାଣ୍ଡ ସମେତ ସାହିଗଳି କନ୍ଦିରେ ନର୍ଦ୍ଦମା ପଙ୍କ ପାଣି ଭାସି ଭାସି ଯାଉଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଦେଖିବାକୁ ମିଳିଥିଲା ।
