ଶେଷ ଓଭରରେ ଶାମିଙ୍କ ଜଲୱା, ୪ ବଲରେ ନେଲେ ୩ ୱିକେଟ
ଗାବା : ଆଇସିସି ଟି-୨୦ ବିଶ୍ୱକପ-୨୦୨୨ର ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ଆଜି ଅଷ୍ଟ୍ରେଲିଆର ବ୍ରିସେବେନ୍ର ଗାବା ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅଭ୍ୟାସ୍ ମ୍ୟାଚ ଖେଳାଯାଇଥିଲା। ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୧୮୬ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ବିଶେଷ କରି ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଉତ୍ତମ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ବିରାଟ କୋହଲିଙ୍କ ଫିଲଡିଂକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟପଟେ ଶେଷ ଓଭରରେ ବୋଲିଂ କରି ଚକିତ କଲେ ମହମ୍ମଦ ଶାମି । ପ୍ରାୟ ଏକବର୍ଷ ହେବ ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନଥିବା ଶାମି ଅଭ୍ୟାସ ମ୍ୟାଚ୍ରେ କମାଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ଇନିଂସର ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ୪ ବଲରେ ୩ ୱିକେଟ ଦଖଲ କରି ନିଜର ଜଲୱା ଦେଖାଇଛନ୍ତି।
ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ ଦରକାର ଥିବା ବେଳେ ହାତରେ ୪ ୱିକେଟ ରହିଥିଲା। ହଠାତ୍ ସମସ୍ତଙ୍କୁ ଚକିତ କରି ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ରେ ଆଦୌ ବୋଲିଂ କରିଥିବା ଶାମିଙ୍କୁ ଶେଷ ଓଭର ପକାଇବାକୁ କହିଥିଲେ। ପ୍ୟାଟ କମିନ୍ସ ତାଙ୍କ ପ୍ରଥମ ଦୁଇ ବଲରୁ ୨ ରନ ଲେଖାଏ ହାସଲ କରିଥିଲେ। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୪ ବଲରେ ୭ ରନ ଦରକାର ଥିବା ବେଳେ କମିନ୍ସ ଲଗଅନ୍ରେ ବଡ଼ ଶଟ ଖେଳିଥିଲେ। କିନ୍ତୁ ସେଠାରେ ଫିଲ୍ଡିଂ କରିଥିବା ବିରାଟ କୋହଲି ଛଞ୍ଛାଣ ଭଳି ଗୋଟିଏ ହାତରେ ନିଶ୍ଚିତ ୬ ହେବାକୁ ଯାଉଥିବା ବଲକୁ କ୍ୟାଚ୍ କରି ନେଇଥିଲେ। ଏହାପର ପରବର୍ତ୍ତୀ ବଲରେ ଅଷ୍ଟନ ଆଗର ରନ ଆଉଟ ହୋଇଥିଲେ। ଦୀନେଶ କାର୍ତ୍ତିକ ଓ ଶାମି ମିଳିତ ଭାବେ ଆଗରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୫ମ ଲରେ ଜୋଶ ଇଙ୍ଗଲିସ(୩)ଙ୍କୁ ଶାମି ଚମତ୍କାର ୟର୍କରରେ ବୋଲ୍ଡ କରିଥିଲେ। ଶେଷ ବଲରେ କେନ ରାଚାର୍ଡସନଙ୍କ ଅପଷ୍ଟମ୍ପ ହୁଗାଳି ଶାମି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
ସୂଚନା ଯେ, ଟି-୨୦ ସ୍କ୍ୱାଡରେ ଶାମି ନଥିଲେ। ତାଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା। ହେଲେ ଯଶପ୍ରୀତ ବୁମ୍ରା ଆହତ ହେବାରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏବେ ଶାମି ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ମଧ୍ୟ କମାଲ କରିଛନ୍ତି।
ଏହା ଫ୍ୟାନ୍ସଙ୍କୁ ଆଶ୍ୱସ୍ତ କରିଛି। ଫଳରେ ବିଶ୍ୱକପ୍କୁ ନେଇ ଭାରତୀୟ ଫ୍ୟାନ୍ଙ୍କ ମନରେ ଆଶା ସଂଚାର ହୋଇଛି।
