ଶେଷରେ ଆଖି ବୁଜିଲା ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁ, ଥାନାରେ ଅଭିଯୋଗ କଲେ ପରିବାର
ମୟୂରଭଞ୍ଜ : ମୟୂରଭଞ୍ଜ କରଞ୍ଜିଆରେ ବଞ୍ଚି ଥାଉ ଥାଉ ଶିଶୁ ପୁତ୍ର ମୃତ ଘୋଷଣା ଅଭିଯୋଗ । ଶେଷରେ ଆଖି ବୁଜିଲା ନବଜାତ ଶିଶୁ ପୁତ୍ର । ମୟୂରଭଞ୍ଜ କରଞ୍ଜିଆ ହସ୍ପିଟାଲରେ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସମୟ ପୂର୍ବରୁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଶିଶୁ ପୁତ୍ରର ଓଜନ ମାତ୍ର ଆଠଶହ ଗ୍ରାମ ଥିଲା ବୋଲି ଡାକ୍ତର କହିଛନ୍ତି ।
ଯାହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ମୃତ ଶିଶୁର ପରିବାର କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ଚପାଇ ଦେବା ପାଇଁ ମୃତ ଶିଶୁର ବାପାଙ୍କୁ କିଛି ଅଜଣା ନମ୍ବରରୁ ଧମକଭରା ଫୋନ୍ ଆସୁଛି। ଏହି ଘଟଣା ସହ ଡାକ୍ତରଖାନାରେ ଅବହେଳା ଯୋଗୁ ନିଜ ଶିଶୁର ମୃତ୍ୟୁ ହୋଇଥିବା ନେଇ ଶିଶୁଟିର ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କରଞ୍ଜିଆ ପୁଲିସର ତଦନ୍ତ ଆରମ୍ଭ କରିଦେଇଛି। କରଞ୍ଜିଆ ଥାନାର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଘଟଣାକୁ ଗୁରୁତର ସହିତ ନେଇ ଏହାର ତଦନ୍ତ କରୁଛନ୍ତି।
ସୂଚନା ଯେ, ଶିଶୁ ପୁତ୍ର ଜନ୍ମ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶିଶୁ ପୁତ୍ରକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେଇଥିଲେ । କିନ୍ତୁ ମଶାଣିରେ ଶେଷକୃତ୍ୟ ପୂର୍ବରୁ ଚେଇଁ ଉଠିଥିଲା ଶିଶୁ । ଏହାପରେ ପରିବାର ଲୋକ ପୁଣି ଥରେ ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଏହି ଘଟଣାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
