ପରଲୋକରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ
କୋଲ୍କାତା: ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଦେହାନ୍ତ । ହୃଦଘାତରେ ଚିକିତ୍ସତ ଅବସ୍ଥାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ପଞ୍ଚାୟତ ସହ ସେ ମଧ୍ୟ ଅନ୍ୟ ତିନୋଟି ବିଭାଗ ଦାୟିତ୍ୱରେ ଥିଲେ।। ଶୁକ୍ରବାର ତାଙ୍କ ଶବକୁ ରାଷ୍ଟ୍ରାୟତ ଅଡିଟରିୟମ୍ ‘ରବୀନ୍ଦ୍ର ସଦନ’କୁ ନିଆଯାଇ ଜନତାଙ୍କ ଶେଷ ସମ୍ମାନ ପ୍ରଦର୍ଶନାର୍ଥେ ରଖାଯିବ। ପରେ ସେଠାରୁ ତାଙ୍କ ମରଶରୀରକୁ ତାଙ୍କର ବାଲିଗୁଞ୍ଜେ ବାସଭବନକୁ ନିଆଯାଇ ସେଠାରୁ ପୁଣି ତାଙ୍କ ଭିଟାମାଟିକୁ ନିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି “ମୁଁ ମୋ ଜୀବନରେ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିନ୍ତୁ ଏହା ମୋ ପାଇଁ ବଡ ଝଟକା । ମୁଁ ଭାବୁ ନାହିଁ ସୁବ୍ରତ ଡାଙ୍କ ପରି ଆଉ ଜଣେ ବ୍ୟକ୍ତି ଯିଏ ଏତେ ସୁନ୍ଦର ଏବଂ ପରିଶ୍ରମୀ ବ୍ୟକ୍ତି ଥିଲେ । ଦଳ ଏବଂ ତାଙ୍କ ନିର୍ବାଚନମଣ୍ଡଳୀ (ବାଲିଗୁଞ୍ଜ) ତାଙ୍କର ଥିଲା ପ୍ରାଣ । ମୁଁ ସୁବ୍ରତ ଦାଙ୍କ ଶରୀର ଦେଖି ପାରିବି ନାହିଁ । ସୂଚନା ଯେ, ଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେତୁ ଅକ୍ଟୋବର ୨୪ ତାରିଖରେ ସୁବ୍ରତ ମୁଖାର୍ଜୀଙ୍କୁ ରାଷ୍ଟ୍ରାୟତ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସୁବ୍ରତ ମୁଖାର୍ଜୀ ସୁସ୍ଥ ହୋଇ ଆସିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍ଚାର୍ଜ’ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଗତକାଲି ରାତି ୯.୨୨ରେ ସେ ପୁଣି ଥରେ ଭୀଷଣ ହୃଦ୍ଘାତର ସରବ୍ୟ ହୋଇଥିଲେ। ଏ ସପ୍ତାହ ପ୍ରାରମ୍ଭରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କାଳୀଘାଟସ୍ଥିତ ବାସଭବନରେ କାଳୀପୂଜା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତ ମୁଖାର୍ଜୀଙ୍କୁ ଦେଖିବା ଲାଗି ଡାକ୍ତରଖାନାକୁ ଯାଇ ଫେରିବା ପରେ ଘୋଷଣା କରିଥିଲେ କି, ସୁବ୍ରତ ଆଉ ନାହାନ୍ତି। ସେ କହିଛନ୍ତି, ଜୀବନରେ ମୁଁ ଅନେକ ବିୟୋଗାନ୍ତ ଘଟଣା ଦେଖିଛି କିନ୍ତୁ, ଏଇ ଗୋଟିକ ଅତୀବ ବିୟୋଗାନ୍ତ। ଆଗାମୀକାଲି ତାଙ୍କୁ ହସ୍ପିଟାଲ୍ରୁ ‘ଡିସ୍ଚାର୍ଜ’ କରାଯିବ ବୋଲି ମୁଁ ଶୁଣିଥିଲି। ସେ ଆଉ ଆମ ଗହଣରେ ନାହାନ୍ତି ବୋଲି ତଥାପି ମୋର ବିଶ୍ୱାସ ହେଉନାହିଁ। ସେ ଥିଲେ ଦଳର ଜଣେ ଉତ୍ସର୍ଗୀକୃତ ନେତା। ତାଙ୍କ ମୃତ୍ୟୁ ମୋ ପାଇଁ ଗୋଟାଏ ବ୍ୟକ୍ତିଗତ କ୍ଷତି। ସୁବ୍ରତ ମୁଖାର୍ଜୀ ଥିଲେ ‘କାଲ୍କାଟା ମୁନିସ୍ପାଲ୍ କର୍ପୋରେସନ୍’ର ପ୍ରଥମ ମେୟର୍। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସର ଜଣେ ବିଶିଷ୍ଟ ନେତା ଥିଲେ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ଥିଲା।
